My Authors
Read all threads
" ରତ୍ନଭଣ୍ଡାର "

ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କୁ ପିନ୍ଧାଯିବା ସକାଶେ ବିଭିନ୍ନ ଅଳଙ୍କାର ରଖିବା ପାଇଁ ଦେଉଳ ତୋଳା ହେବା ବେଳେ ଏକ ରତ୍ନଭଣ୍ଡାରର ନିର୍ମାଣ କରାଯାଇଥିଲା । ବିଭିନ୍ନ ରାଜ୍ୟ ଜୟ କରିବା ସମୟରେ ସେଠାରୁ ମିଳିଥିବା ସୁନା, ରୂପା, ହୀରା, ଲୀଳା ଆଦି ରତ୍ନ ରାଜା-ମହାରାଜାମାନେ ଦେଉଳକୁ ଦାନ ଦେଉଥିଲେ ।
ଶହଶହ ବର୍ଷଧରି ରତ୍ନଭଣ୍ଡାରରେ ତାହା ସବୁ ତାଲାପଡ଼ି ରହିଆସିଛି । ୧୯୫୨ ଏବଂ ୧୯୭୮ ମସିହାରେ ରତ୍ନଭଣ୍ଡାରର ତିନିଟି ସିନ୍ଦୁକ ଖୋଲାଯାଇ ତାଲିକା ତିଆରି ନିମନ୍ତେ ସେଥିରୁ ଅଳଙ୍କାର ବାହାର କରାଯାଇଥିଲା । ଏହି ସମ୍ପୂର୍ଣ୍ଣ ତାଲିକା ତିଆରି କରାଯାଇ ପାରିନାହିଁ । କିଛି ଅଳଙ୍କାର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ କରାଯାଇଥିଲା ।
ଆଉ କିଛି ଅଳଙ୍କାର ଠାକୁରଙ୍କ ଦୈନନ୍ଦିନ ଜଗନ୍ନାଥଙ୍କ ବେଶରେ ବ୍ୟବହାର ପାଇଁ ଭଣ୍ଡାରଘରେ ରଖାଯାଇଛି । ଅନେକ ଅଳଙ୍କାର ସମୟକ୍ରମେ ରକ୍ଷନାବେକ୍ଷଣା ବିନା ଭାଙ୍ଗିରୁଜି ଯାଇଛି । ରତ୍ନଭଣ୍ଡାରରେ ତିନିଟି ଚାବି ପଡ଼ିଛି ଯହିଁରୁ ଗୋଟେ ପୁରୀ ଗଜପତିଙ୍କ ପାଖରେ ଥିବା ବେଳେ ଅନ୍ୟ ୨ଟି ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ପାଖରେ ରହିଛି ।
ତିନୋଟି ଚାବି ଏକାଠି ହେଲେ ରତ୍ନଭଣ୍ଡାର ଖୋଲାଯାଇ ପାରିବ । ପ୍ରାୟ ୫୦ଟି ବଡ଼ ସିନ୍ଦୁକରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ଭପୂର ହୋଇ ରହିଛି ବୋଲି ଜଣାଯାଏ । ପ୍ରତି ବର୍ଷ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶ ବେଲେ, ଦୋଳପୂର୍ଣ୍ଣିମା, ବିଜୟାଦଶମୀ, ପୌଷ ପୂର୍ଣ୍ଣିମା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଭଳି
ତିଥିମାନଙ୍କରେ ରତ୍ନସିଂହାସନ ଉପରେ ଜଗନ୍ନାଥଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶ କରାଯାଏ । ସବୁଠାରୁ ଅଧିକ ସୁନାଗହଣା ହରିଶୟନ ଏକାଦଶୀ ତିଥିରେ ବ୍ୟବହାର ବ୍ୟବହାର ହୋଇଥାଏ । ଗଜଉଦ୍ଧାରଣ ବେଶ, ରଘୁନାଥ ବେଶ, ବଣଭୋଜି ବେଶ, କୃଷ୍ଣବଳରାମ ବେଶ, ରାଧା ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡା ବେଶ, ଆଡ଼କିଆ ବେଶ,
ଲକ୍ଷ୍ମୀନୃସିଂହ ବେଶ, ବାମନ ବେଶ, ଚାଚେରୀ ବେଶ ଏବଂ ଚନ୍ଦନ ବେଶରେ ଜଗନ୍ନାଥଙ୍କୁ ଅଳଙ୍କାର ଆଭୂଷଣ କରାଯାଇଥାଏ ।
" ପାର୍ଶ୍ୱଦେବତା "

ମୁଖ୍ୟ ମନ୍ଦିର ତିନି ଦିଗରେ ରାହା ପାଗରେ ତିନି ମୁଖ୍ୟ ପାର୍ଶ୍ୱଦେବତାଙ୍କୁ ପ୍ରତିଷ୍ଠିତ କରାଯାଇଛି । ତନ୍ମଧ୍ୟରେ ବିମାନର ଉତ୍ତରରେ କଳା ମୁଗୁନି ପ୍ରସ୍ତର ନିର୍ମିତ ବାମନ ବା ତ୍ରିବିକ୍ରମ, ଦକ୍ଷିଣରେ ବରାହ ଓ ପଶ୍ଚିମରେ ନୃସିଂହ ରହିଛନ୍ତି ।
ଏହି ତିନି ବିଗ୍ରହଙ୍କ ନିମିତ୍ତ ତିନିଗୋଟି ଉଚ୍ଚ ମନ୍ଦିର ମଧ୍ୟ ନିର୍ମିତ ହୋଇଅଛି । ପ୍ରତ୍ନତତ୍ତ୍ୱବିତ୍‌ମାନେ ପୁରୀ ବଡ଼ଦେଉଳ ସଂଲଗ୍ନ ହୋଇ ତିନି ଦିଗରେ ଥିବା ଏହି ପାର୍ଶ୍ୱ ମନ୍ଦିରଗୁଡ଼ିକ ମୁଖ୍ୟ ମନ୍ଦିରର ଭାରସାମ୍ୟ ରକ୍ଷା କରିବାରେ ସହାୟକ ହେଉଥିବା ପ୍ରକାଶ କରିଥାନ୍ତି ।
ଏଥିସହ ମନ୍ଦିରରେ ଅଷ୍ଟ ଦିଗପାଳ, ଦଶ ଅବତାର ଓ ଅନ୍ୟ ବହୁ ଦେବ-ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ମୁଖ୍ୟ ମନ୍ଦିର ଭିତର ଓ ବାହାର ବେଢ଼ା ମଧ୍ୟରେ ଛୋଟ ବଡ଼ ପ୍ରାୟ ଶତାଧିକ ମନ୍ଦିର ଅଛି ।
" ବେଢ଼ା ଦେବଦେବୀ "

ପତିତପାବନ

ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ ଅଟେ । ବିଶେଷ କରି ସିଂହଦ୍ୱାର ଗୁମୁଟ ଭିତରେ ଡାହାଣ ପଟରେ ଥିବା ପୂର୍ବାଭିମୁଖୀ ଜଗନ୍ନାଥ ମୂର୍ତ୍ତିଙ୍କୁ ପତିତପାବନ ବୋଲି କୁହାଯାଏ । ଯେଉଁମାନେ ଧର୍ମାନ୍ତର ହେଉଥିଲେ ସେମାନେ ମନ୍ଦିର ନ ଯାଇପାରି ଅରୁଣ ସ୍ତମ୍ଭରୁ
ପତିତପାବନଙ୍କୁ ଦର୍ଶନ କରି ପାରୁଥିଲେ। ପରମ୍ପରା ଅନୁଯାୟୀ ପତିତପାବନଙ୍କର ଅଣସର ବିଧି, ଦୁଆର ଫିଟା, ମଙ୍ଗଳ ଆଳତୀ, ବିଭିନ୍ନ ବେଶ ପ୍ରମୁଖ କରାଯାଏ ।
ଫତେ ହନୁମାନ

ଗୁମୁଟର ପ୍ରବେଶ ମାର୍ଗରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ ଓ ଦୁର୍ଗାଙ୍କ ଚିତ୍ର ପ୍ରତିମା । ଫତେ ହନୁମାନ ସିଂହଦ୍ୱାର ଗୁମୁଟର କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟରେ ଫତେ ହନୁମାନ ରହିଛନ୍ତି ।
ସେ ପୂର୍ବ ଦ୍ୱାରର ରକ୍ଷକ ଓ ପଞ୍ଚ ରାମାନନ୍ଦୀ ଖାଲସାଙ୍କ ଆରାଧ୍ୟ ଦେବତା।
କାଶୀ ବିଶ୍ୱନାଥ

ଆସି ବାଇଶି ପାହାଚରେ ଚଢି ଯିବା ମାତ୍ରେ ବାମ ପାର୍ଶ୍ୱରେ (ଦକ୍ଷିଣ ଦିଗରେ) କାଶୀ ବିଶ୍ୱନାଥ ପ୍ରାୟ ୧୫ଫୁଟ ଉଚ୍ଚତାର ମନ୍ଦିର ଯାହା ୧୬୧୧ ଖ୍ରୀଷ୍ଟାବ୍ଦରେ ବିଧିବଦ୍ଧ ଭାବେ ପ୍ରତିଷ୍ଟିତ ହୋଇଥିବା ଗବେଷକ ପଣ୍ଡିତ ସଦାଶିବ ରଥଶର୍ମା ମତ ପୋଷଣ କରିଛନ୍ତି ।
ଯୋଗଶାସ୍ତ୍ର ମତେ ବିଷ୍ଣୁ ଦର୍ଶନ ପୂର୍ବରୁ ଯୋଗେଶ୍ୱରଙ୍କୁ ଦର୍ଶନଙ୍କୁ କରିବାକୁ ପଡ଼ି଼ଥାଏ। ଆଉ ଯୋଗେଶ୍ୱରଙ୍କ ପ୍ରତୀକ ହେଲେ ଶିବ ଓ ବିଷ୍ଣୁ ସ୍ୱୟଂ ଜଗନ୍ନାଥ। କାଶୀ ବିଶ୍ୱନାଥ ଲିଙ୍ଗର ଉଚ୍ଚତା ପ୍ରାୟ ୧୦ଇଞ୍ଚ ଓ ଶକ୍ତି ଉତ୍ତର ଦିଗାଭିମୁଖୀ । ପ୍ରସ୍ତର ନିର୍ମିତ ହର ପାର୍ବତୀ ମୂର୍ତ୍ତି ୧୦ଇଞ୍ଚ ଉଚ୍ଚତା ବିଶିଷ୍ଟ ପୂଜିତ।
ପ୍ରବେଶ ଦ୍ୱାରର ଓସାର ମାତ୍ର ଅଢେ଼ଇ ଫୁଟ ଓ ଉଚ୍ଚତାରେ ୪ଫୁଟ । ଶୀତଳ ଷଷ୍ଠୀ, ଶିବ ବିବାହ ଉତ୍ସବ ଠାକୁରଙ୍କ ଜଳାଶାୟୀ ନୀତି ହୋଇଥାଏ। ପଶ୍ଚିମାଭିମୁଖୀ ଅନନ୍ତ କ୍ଷୁଦ୍ର ମନ୍ଦିରଟି ଭାରତ ବର୍ଷରେ ଖ୍ୟାତି ଓ ପ୍ରସିଦ୍ଧି ରହିଅଛି।
ରାମାଭିଷେକ

ବାଇଶି ପାହାଚ କାଶୀ ବିଶ୍ୱନାଥଙ୍କ ପାର୍ଶ୍ୱରେ ରାମାଭିଷେକରେ ରାମସୀତାଙ୍କ ସିଂହାସନ ଆରୋହଣ ସହ ୪ ଭ୍ରାତା, ସଙ୍କଟ ମୋଚନ ହନୁମାନ, ସୁଗ୍ରୀବ, ଜାମ୍ବବାନ ଓ ସମସ୍ତ ବାନର ଭକ୍ତ ପ୍ରମୁଖ ପ୍ରଭୁଙ୍କୁ ପ୍ରଣିପାତ କରୁଥିବାର ଦେଖାଯାଏ ।
ନୃସିଂହନାଥ

ପରବର୍ତ୍ତୀ କ୍ଷୁଦ୍ର ମନ୍ଦିରରେ ନୃସିଂହ ନାଥଙ୍କ ଶିଳା ମୂର୍ତ୍ତି ଓ ପାର୍ଶ୍ୱରେ ଗଣନାଥଙ୍କ ମୂର୍ତ୍ତି ଦେଖାଯାଏ ।
ଅଗ୍ନୀଶ୍ୱର ମନ୍ଦିର

କୁର୍ମବେଢ଼ା ବା ଭିତର ବେଢ଼ା ପହଞ୍ଚିବା ଓ ବାମ ପଟେ ଚାଲିଲେ ଅଗ୍ନୀଶ୍ୱରଙ୍କ ମନ୍ଦିର ପଡେ । ଏହା କୁର୍ମବେଢ଼ା ଓ ଶ୍ରୀଜଗନ୍ନାଥଙ୍କ ପାକଶାଳକୁ ଯାଇଥିବା ଉଦ୍ଦିଷ୍ଟ ରାସ୍ତାରେ ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ୱରଙ୍କର କ୍ଷୁଦ୍ର ମନ୍ଦିର ରହିଛି। ସେ ହେଉଛନ୍ତି କୁର୍ମବେଢ଼ାର ପ୍ରତିପାଳକ, ରକ୍ଷକ ଓ ରୋଷର ବିଶୋଧକ ।
ଅନନ୍ତ ଶୟନରେ ନାରାୟଣ

ଭୋଗ ମନ୍ଦିରକୁ ଯେଉଁ ରାସ୍ତା ଦେଇ ନିଆଯାଉଛି ଠିକ୍ ଅଗ୍ନିଶ୍ୱର ମନ୍ଦିର ପାର ହୋଇ ମନ୍ଦିର ମଧ୍ୟସ୍ଥ ପାହାଚକୁ ଉଠିବା ପୂର୍ବରୁ ଡାହାଣ କାନ୍ଥରେ ବିଶାଳ ଅନନ୍ତ ଶୟନରେ ନାରାୟଣଙ୍କ ପ୍ରତିମା, ଲକ୍ଷ୍ମୀ-ସରସ୍ୱତୀ, ବ୍ରହ୍ମା, ବିଷ୍ଣୁ ଓ ଦେବଲୋକଙ୍କ ସହ ଅନନ୍ତ ସର୍ପ ଉପରେ ଶୟନ କରିଥିବା ଭକ୍ତମାନେ ଦର୍ଶନ କରିଥାନ୍ତି ।
ସତ୍ୟ ନାରାୟଣ ମନ୍ଦିର

ଶ୍ରୀଅଗ୍ନିଶ୍ୱର ମହାଦେବ ଓ ଭୋଗ ରାସ୍ତା ପାର ହୋଇ କୂର୍ମବେଢା଼ରେ ଦକ୍ଷିଣକୁ ଆଗେଇ ଆସିଲେ ୫ଫୁଟ ୧୦ଇଞ୍ଚ କଳା ମୁଗୁନି ପ୍ରସ୍ତରରେ ନିର୍ମିତି ସତ୍ୟ ନାରାୟଣଙ୍କ ବିଗ୍ରହ ଦେଖାଯାନ୍ତି। ବେଢ଼ାର ପତନଠାରୁ ୨୫ ଫୁଟ ଉଚ୍ଚତା ଓ ପଞ୍ଚ ରଥ ବିଶିଷ୍ଟ ଏହି ମନ୍ଦିରଟି ଦେଖିବାକୁ ମିଳେ ।
ଦୁଇ ପାର୍ଶ୍ୱରେ ଶ୍ରୀଦେବୀ ଓ ଭୂଦେବୀ ବିଦ୍ୟାମାନ । ପ୍ରତ୍ୟେକ ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ଏହି ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ହୋଇଥାଏ ।

ବେଢ଼ା ପରିକ୍ରମା ସମୟରେ ଅଗ୍ନିଶ୍ୱର, ଅନନ୍ତ ବାସୁଦେବ ଓ ସତ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଏହି ମନ୍ଦିର ଆଗରେ ଠିଆହୋଇ ଦୁଇ ହାତ ଉପରକୁ ଉଠେଇ ଚକ୍ର ନାରାୟଣ, ନୀଳଚକ୍ର, ଧ୍ୱଜାବୀର,
ପତିତପାବନ, କପିଚନ୍ଦ୍ରଙ୍କୁ ଚାହିଁ ନିଜକୁ ସମର୍ପିତ ଭାବେ ଅର୍ପଣ କରିଦେଲେ ସେହି କାଳିଆ ଠାକୁର ପ୍ରାପ୍ତି ହୋଇଥାନ୍ତିର ବିଶ୍ୱାସ ରହିଛି ।
ଶ୍ରୀ ବାଳମୁକୁନ୍ଦ ମନ୍ଦିର

ବଟ ଜଗନ୍ନାଥଙ୍କ ସମ୍ମୁଖରେ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣରେ ବାଳମୁକୁନ୍ଦ ମନ୍ଦିର ଯେଉଁଥିରେ ଏକ ଫୁଟ ଲମ୍ବ ବିଶିଷ୍ଟ କଳା ଚିକ୍କଣ ମୁଗୁନି ପ୍ରସ୍ତରରେ ନିର୍ମିତ ବାଳମୁକୁନ୍ଦ ବିଗ୍ରହ ଦକ୍ଷିଣା ଆଡ଼କୁ ମସ୍ତକ ରଖି ଚିତି ହୋଇ ପ୍ରସ୍ତରରେ ନିର୍ମିତ ବଟ ପତ୍ରରେ ଶୋଇ ରହିଛନ୍ତି।
ପଦର ଅଙ୍ଗୁଠିକୁ ହସ୍ତରେ ଧରି ମୁଖ ପଦ୍ମରେ ପ୍ରବେଶ କରାଇଛନ୍ତି । ଗଜପତି ମହାରାଜ ବୀରକିଶୋର ଦେବଙ୍କ ଜଣେ ପାତ୍ର ଶ୍ରୀଧର ପଟ୍ଟନାୟକ ବଟ ମୂଳରେ ମନ୍ଦିରଟି ଠିଆ କରି ବାଳମୁକୁନ୍ଦଙ୍କୁ ସ୍ଥାପିତ କରାଇଥିଲେ ।
ବଟକୃଷ୍ଣ

ବାଳମୁକୁନ୍ଦ ମନ୍ଦିରର ଏକ କାନ୍ଥ ସଂଲଗ୍ନ ଠଣା ମଧ୍ୟରେ ଦେଢ଼ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ନିର୍ମିତ ବଟକୃଷ୍ଣ ବିଗ୍ରହ ସ୍ଥାପିତ ହୋଇଛନ୍ତି । ପୂର୍ବେ ଏଠାରେ ସ୍ୱତନ୍ତ୍ର ମନ୍ଦିର ରହିଥିଲା ।
ମନ୍ଦିରଟି ଭାଙ୍ଗି ଯିବାରୁ ଅନେକ ବର୍ଷ ଧରି ବାଳମୁକୁନ୍ଦ ଓ ବଟକୃଷ୍ଣ ଗୋଟିଏ ମନ୍ଦିରରେ ପୂଜିତ ହେଉଛନ୍ତି ।

'ଶଙ୍ଖଚକ୍ର ଗଦାପଦ୍ମ ଧାରିଣଂ ବନମାଳୀନଂ । ବଟ ନାରାୟଣଂ ବନ୍ଦେ ମମ ପାପକ୍ଷୟଂ କୁରୁ ॥
ମାର୍କଣ୍ଡେୟ ପାଦୁକା

ବାଳମୁକୁନ୍ଦ ମନ୍ଦିର ଓ ବଟ ମଙ୍ଗଳାଙ୍କ ଦକ୍ଷିଣ କୋଣର ବାମ ପାର୍ଶ୍ୱରେ ମାର୍କଣ୍ଡେୟ ପାଦୁକା ରହିଛନ୍ତି ।
ବଟ ଗଣେଶ

ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ। ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ ।
ହରି ସହଦେବ

ବାଳମୁକୁନ୍ଦ ଓ କଳ୍ପବଟ ସମ୍ମୁଖରେ ହରି ସହଦେବ ମହାଦେବଙ୍କ କ୍ଷୁଦ୍ର ମନ୍ଦିରଟି ରହିଛି । ବେଢା଼ ପରିକ୍ରମା ସମୟରେ ଭକ୍ତମାନଙ୍କର ଅଭିଳାଷକୁ ସାକାର କରି ରିଷ୍ଟ ଖଣ୍ଡନ କରିବାକୁ ଓ ଭବିଷ୍ୟତ ପଥକୁ କୁସୁମିତ କରିବା ଲକ୍ଷ୍ୟରେ ପାଣି ଲାଗି କରିଥାନ୍ତି ।
ବଟ ଅବକାଶ

ପୂର୍ବ-ପଶ୍ଚିମ ମୁଖା ବଟ ଗଣପତି ସମୁଖରେ ହରି ସହଦେବ ମନ୍ଦିର ପାର୍ଶ୍ୱରେ ବଟ ଜଗନ୍ନାଥ ମନ୍ଦିର । ଏଠାରେ ଜଗନ୍ନାଥଙ୍କ ବିଗ୍ରହ ପୂଜିତ । ସଦା ସର୍ବଦା ସୁନା ବେଶର ମୁକୁଟ, କିରୀଟ କଳା ବଦନର ଶୋଭାକୁ ଦୁଇ ଗୁଣିତ କରୁଅଛି। ମୂର୍ତ୍ତିର ଉଚ୍ଚତା ୫ ଫୁଟ।
ବାମ ପାର୍ଶ୍ୱରେ ଲକ୍ଷ୍ମୀଙ୍କ ମୂର୍ତ୍ତି । ଏହା ସମ୍ମୁଖରେ ପୁରାଣ ପଢିବା ବେଳେ ଅତିବଡି ଜଗନ୍ନାଥ ଦାସଙ୍କ ସହିତ ଚୈତନ୍ୟ ଭେଟ ହୋଇଥିଲେ । ଯବନ/ବିଧର୍ମୀମାନେ ଶ୍ରୀଜଗନ୍ନାଥଙ୍କୁ ଯେତେବେଳେ ଆକ୍ରମଣ କରନ୍ତି ସେହି ସମୟରେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ବଟ ବିହାରୀ ଜଗନ୍ନାଥଙ୍କୁ କଳାହାଟ ଦ୍ୱାରରେ ରଖି ଶତ୍ରୁଙ୍କୁ ଠକା ଯାଇଛି।
ମହାସ୍ନାନ ସ୍ନାନ ପୂର୍ଣ୍ଣିମା ଦିନ ସମ୍ପାଦିତ ହୋଇ ଅଣସର ନୀତି ପାଳିତ ହୁଏ । ନବକଳେବରରେ ଏଠାକୁ ଦାରୁ ଆସେ । ଜଗନ୍ନାଥ ଦାସ ବଟ ବିହାରୀ ଜଗନ୍ନାଥଙ୍କ ସମ୍ମୁଖରେ କଳ୍ପବଟ ତଳେ ତାଙ୍କର ଭାଗବତ ରଚନା ଓ ଅନ୍ୟାନ୍ୟ ଗ୍ରନ୍ଥ ଲେଖିଥିଲେ । ଏଣୁ ବଟ ବିହାରୀ ଜଗନ୍ନାଥ 'ଭାଗବତ କାଳିଆ ବୋଲି ନାମିତ ହୋଇଛନ୍ତି ।
କଳ୍ପବଟ/ବାଞ୍ଛା ବଟ

କଳ୍ପବଟ ଓ ବାଞ୍ଛା ବଟ ଦୁଇଟି ପ୍ରାଚୀନ ସର୍ବ ପାବନ ସ୍ଥଳ।ଶ୍ରୀମନ୍ଦିର ମଧ୍ୟରେ ଯାହା ଆଜି ଅବସ୍ଥିତ ତାହା କଳ୍ପ ଆରମ୍ଭ, ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧବ ରୂପେ ବିଶ୍ୱାବସୁ ଶବର ପୂଜା
କରୁଥିବାର କିମ୍ବଦନ୍ତୀ ରହିଛି । କଳ୍ପବଟର ଚତୁଃପାର୍ଶ୍ୱରେ ବଟେଶ୍ୱର, ବଟକୃଷ୍ଣ, ବାଳମୁକୁନ୍ଦ, ବଟ ମଙ୍ଗଳା, ବଟ ନାରାୟଣ, ବଟ ଗଣେଶ, ରାଧାକୃଷ୍ଣ, ପତିତପାବନ/ଶ୍ରୀଜଗନ୍ନାଥଙ୍କ(ବଟ ଅବକାଶ),ପଞ୍ଚୁ ପାଣ୍ଡବ, ମହାଦେବ ପ୍ରମୁଖ ରହିଛନ୍ତି।କଳ୍ପବଟ ଚତୁଃବର୍ଣ୍ଣ ଫଳପ୍ରଦ ମୁଖ୍ୟ ପାବନକାରୀ ତୀର୍ଥ ଅଟେ।ପ୍ରାୟ ସମସ୍ତ ଆଦି ସନାତନ ଧର୍ମ ପୁରାଣରେ
ଏହି କଳ୍ପବଟର ମହାତ୍ମ୍ୟ ବର୍ଣ୍ଣନା ହୋଇଛି।ଯଥା ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ତୀର୍ଥ ଚିନ୍ତାମଣି, ଭାଗବତ ମହାପୁରାଣ, ହରିବଂଶ, ଭବିଷ୍ୟ ପର୍ବ, ପ୍ରେମ ଭକ୍ତି, ବ୍ରହ୍ମ ଗୀତା, ଚନ୍ଦ୍ରକଳା, ରସିକ ହାରାବଳୀ, ସାରଗୁପ୍ତ ଗୀତା, ତୁଳାଭିଣା, ଅଷ୍ଟ ଗୁଜ୍ଜରୀ ପ୍ରଭୃତି ପୁରାଣ, ଶାସ୍ତ୍ର/କାବ୍ୟ ଗ୍ରନ୍ଥ ।
କାର୍ତ୍ତିକ ମାସ ଶୁକ୍ଳ ତ୍ରୟୋଦଶୀ ତିଥିରେ ବଟ ଦେବତାଙ୍କର ଜୟନ୍ତୀ ଉତ୍ସବ ପାଳିତ ହୁଏ।କାର୍ତ୍ତିକର ପଞ୍ଚକ ଅବସରରେ କଳ୍ପବଟର ପୂଜା ଆରଧନା ନିଶ୍ଚିତ ରୂପେ ପରମ ପବିତ୍ର ଓ ତାତ୍ପର୍ଯ୍ୟପୂର୍ଣ୍ଣ।କଳ୍ପବଟ ଦର୍ଶନ କରିବା ମାତ୍ରେ ଏହାର ଛାୟାରେ ବାରମ୍ବାର ପାଦ ପକାଇବ।ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସମୟରେ କଳ୍ପବଟ ତଳେ ବସି ନୀଳଚକ୍ର ପତିତପାବନ,
ଧ୍ୱଜାବୀର-କପିଚକ୍ରକୁ ଚାହିଁ ପ୍ରଣିପାତ କରିବା ସହ ରିଷ୍ଟ ଖଣ୍ଡନ ସହ ସିଦ୍ଧି, ମୁକ୍ତି ମିଳିଥାଏ।କଳ୍ପବଟ ଚିନ୍ତନ ସର୍ବ ପାପକୁ ଅନନ୍ତ ଗର୍ଭରେ କ୍ଷୟ କରି ପୁଣ୍ୟକୁ ଅକ୍ଷୟ କରି ତୋଳିବାରେ ସହାୟକ ହୋଇ ଆସିଛି ।
ଶ୍ରୀ ବଟ ସର୍ବମଙ୍ଗଳା ଦେବୀ

ଶ୍ରୀକ୍ଷେତ୍ରର ଅନ୍ତର୍ବେଦୀ ରତ୍ନ ସିଂହାସନର ସୁରକ୍ଷା ପାଇଁ ପ୍ରତିଷ୍ଠିତ ଥିବା ଅନ୍ୟାନ୍ୟ ଦେବୀ ବିଗ୍ରହ ମଧ୍ୟରୁ ସର୍ବମଙ୍ଗଳା ଅନ୍ୟତମ।ମନ୍ଦିରଟି ପଶ୍ଚିମ ମୁଖା।ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଛି । ଦେବୀ ସର୍ବମଙ୍ଗଳା ଚତୁର୍ଭୁଜା ଓ ତ୍ରିନେତ୍ରୀ ଅଟନ୍ତି ।
ମୁଖ୍ୟ ପ୍ରବେଶ ଦ୍ୱାରର ଦୁଇ ପାର୍ଶ୍ୱରେ ଛାୟା ଓ ମାୟା ଦେବୀ ରହିଥିବା ଓ ଏମାନଙ୍କ ଉପରେ ଦୁଇଟି କ୍ଷୁଦ୍ର ହନୁମାନ ମୂର୍ତ୍ତି ରହିଛନ୍ତି । ଦ୍ୱାର ସମ୍ମୁଖରେ ଏକ ସ୍ତମ୍ଭରେ ସିଂହ ।
ସଙ୍କଟ ତାରିଣୀ

ସର୍ବ ମଙ୍ଗଳା ମନ୍ଦିର ବାହାର ପଟ ଉତ୍ତର ପାର୍ଶ୍ୱସ୍ଥ କାନ୍ଥରେ ସଙ୍କଟ ତାରିଣୀଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପୂଜା ପାଉଛନ୍ତି । ମା' ସର୍ବମଙ୍ଗଳାଙ୍କ ମନ୍ଦିରରେ ଷୋଳ ପୂଜା,କାଳୀ ପୂଜା,ଓଢ଼ଣ ଷଷ୍ଠୀ, କୁମାର ପୂର୍ଣ୍ଣିମା, ଶିବରାତ୍ରି ଓ ଦୋଳ ପୂର୍ଣ୍ଣିମାରେ ଏଠାରେ ବିଶେଷ ନୀତି ପାଳିତ ହୋଇଥାଏ ।
ମହା ବଜ୍ରେଶ୍ୱରୀ/ଇନ୍ଦ୍ରାଣୀ

କଳ୍ପବଟ ସମ୍ମୁଖରେ ମନ୍ଦିରଟି ରହିଛି । କ୍ଷେତ୍ରପାଳ ଶିବଙ୍କ ଶକ୍ତି ରୂପେ ମହା ବ୍ରଜେଶ୍ୱରୀଙ୍କୁ ଉପାସନା କରାଯାଏ । ଇନ୍ଦ୍ରାଣୀ ଦେବୀ ରୂପେ ପୂଜିତା।କାମଦେବ ରାଜାଙ୍କ କୀର୍ତ୍ତି ରୂପେ ଏହା ଖ୍ୟାତ।ଶ୍ରୀମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟକୁ ଲାଗି ମାଜଣା ମଣ୍ଡପ ଆଡ଼କୁ ଯିବାବେଳେ ଡ଼ାହାଣ ପାର୍ଶ୍ୱରେ
ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର । ଇନ୍ଦ୍ରାଣୀଙ୍କ ସିଂହାସନରେ ନିମ୍ନ ଭାଗରେ ଶିବଲିଙ୍ଗ ଶ୍ରୀବଟେଶ୍ୱର ରହିଛନ୍ତି। ସମ୍ମୁଖରେ ବୃଷଭ ପାର୍ଶ୍ୱରେ ସିଦ୍ଧି ଗଣେଶ ମୂର୍ତ୍ତି କଳା ଗଣେଶ ପ୍ରସ୍ତରରେ ନିର୍ମିତ୍ତ ହୋଇଛନ୍ତି।ଇନ୍ଦ୍ରାଣୀଙ୍କ ବିଗ୍ରହ ଦ୍ୱିଭୁଜା ଓ ଉପବେଶନ ଭଙ୍ଗୀରେ ବିଦ୍ୟମାନ।ସିଂହାସନ ନିମ୍ନରେ ହସ୍ତୀ ଅଛି ।
ଶ୍ରୀଜୀଉମାନଙ୍କ ପ୍ରତ୍ୟକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବ ପରେ ସମ୍ପୃକ୍ତ ସୂପକାର ସେବକ ସେହି ରାସ୍ତାରେ ଆନନ୍ଦ ବଜାରକୁ ନେବାବେଳେ "ମା" ଇନ୍ଦ୍ରାଣୀଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି ।
ପଞ୍ଚ ମହାଦେବ ମନ୍ଦିର

କଳ୍ପବଟ ତଳେ ସର୍ବମଙ୍ଗଳାଙ୍କ ସମ୍ମୁଖଭାଗରେ ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ୱର, ଶ୍ରୀ ନୀଳକଣ୍ଠଶ୍ୱର, ମହାମୃତ୍ୟୁଞ୍ଜୟ, ଶ୍ରୀ ମାର୍କଣ୍ଡେୟ ଓ ଶ୍ରୀକପାଳ ମୋଚମ ପଞ୍ଚୁ ପାଣ୍ଡବ ମହାଦେବ ମନ୍ଦିର ଅବସ୍ଥିତ । ଏହି ପଞ୍ଚୁ ପାଣ୍ଡବ ମନ୍ଦିର ମଧ୍ୟରେ ଅଧିମାସ ଠାକୁର (ନାରାୟଣ) ଙ୍କର କ୍ଷୁଦ୍ର ମନ୍ଦିରଟିଏ ରହିଛି ।
ମାର୍କଣ୍ଡେଶ୍ୱର

ପଞ୍ଚ ମହାଦେବଙ୍କର ମନ୍ଦିରର ଉଚ୍ଚତା ସର୍ବାଧିକ ଓ ପଶ୍ଚିମାଭିମୁଖୀ ହୋଇ ଶକ୍ତି ପ୍ରତିଷ୍ଠା ହୋଇଛନ୍ତି । ଶ୍ରୀମନ୍ଦିରର ଭିତର ବେଢ଼ା ଚଟାଣଠାରୁ ୭/୮ ଫୁଟ୍ ତଳେ ମାର୍କଣ୍ଡେୟ ମନ୍ଦିରର ଗର୍ଭ ଗୃହସ୍ଥ ମଧ୍ୟ ଭାଗରେ ମାର୍କଣ୍ଡେଶ୍ୱର ଶିବଲିଙ୍ଗ ବିଦ୍ୟମାନ।
ମୃତ୍ୟୁଞ୍ଜୟ ଦେବ ରାଜଗୁରୁ କେଶରୀ ବଂଶର ରାଜା ଉଦ୍ୟୋତ କେଶରୀଙ୍କ ସମୟରେ ସ୍ଥାପନ ହୋଇଥିବା ଜଣାଯାଏ।ଉତ୍ତରାଭିମୁଖୀ ମାଧବ (ବଟ ନାରାୟଣ) ବିଗ୍ରହ ମାର୍କଣ୍ଡେଶ୍ୱରଙ୍କ ଲିଙ୍ଗ ସମ୍ମୁଖରେ ରହିଛନ୍ତି।ଏଣୁ ଯଥାର୍ଥରେ ଧ୍ୟାନ କରାଯାଏ-
"ମାର୍କଣ୍ଡେୟ ! ନମସ୍ତୁଭ୍ୟମଘୋର ପାପହାରକ ।
ପାପମ୍ ମେହର ଭୋ ଶମ୍ଭୋ ନାରାୟଣ ପ୍ରିୟଂ ଭଜେ ॥"
ବଟ ନାରାୟଣଙ୍କୁ ଧ୍ୟାନରେ କୁହାଯାଏ-
"ଶଙ୍ଖ ଚକ୍ର ଗଦା ପଦ୍ମ ଧାରିଣଂ ବନମାଳୀନମ୍ ।
ବଟ ନାରାୟଣଂ ବନ୍ଦେ ମମ ପାପ କ୍ଷୟଂ କୁରୁ ॥"
ସୂର୍ଯ୍ୟ ନାରାୟଣ
ମୁକ୍ତି ମଣ୍ଡପର ଐଶାନ୍ୟ କୋଣରେ ସୂର୍ଯ୍ୟ ନାରାୟଣଙ୍କ ଯେଉଁ କ୍ଷୁଦ୍ର ମନ୍ଦିରଟିଏ ଅଛି ତାହା ବାସ୍ତବରେ "ସୂର୍ଯ୍ୟ ଯନ୍ତ୍ର" ମନ୍ଦିର ବୋଲି କୁହାଯାଏ।ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ସହିତ ଏହି ମନ୍ଦିରର ସମ୍ପର୍କ।ଗ୍ରହଣ ନୀତିରେ ଏଠାରେ ଅଧିକ ପୂଜା ହୁଏ ।
ଏହି ମନ୍ଦିରଟି ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ପ୍ରତିଷ୍ଠିତ।କପିଳେନ୍ଦ୍ର ଦେବ ଏହାକୁ ପୁନଃ ନିର୍ମାଣ କରିଥିଲେ । ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ ନ କରି ଶ୍ରୀମନ୍ଦିରରେ ପ୍ରବେଶ କରି ପ୍ରଭୁ ଚକନୟନଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରାପ୍ତି ହୋଇନଥିବା ବିଶ୍ୱାସ ରହିଛି ।
ଆଦି ବ୍ରହ୍ମ ପୁରାଣ ମତରେ ଏଇଠି ସୂର୍ଯ୍ୟ ଯନ୍ତ୍ର ସ୍ଥାପିତ ହୋଇଛି ଓ ସୂର୍ଯ୍ୟ ପୂଜା ପାଇଁ ଏହା ହିଁ ଉଦ୍ଦିଷ୍ଟ ।
କୁତ୍ତାମ ଚଣ୍ଡୀ

ମୁକ୍ତି ମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତ୍ତା) ଉପରେ ବିରାଜିତ ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ "କୁତ୍ତାମ ଚଣ୍ଡୀ" ରୂପରେ ପୂଜିତା । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରେ (ଜଗମୋହନ ଆଡ଼କୁ ମୁହଁ କରି)
ଏକ କୁକୁର ମୂର୍ତ୍ତି ପୂଜା ପାଉଛନ୍ତି । ଏହା ଦେବୀଙ୍କର ବାହାନ କୁକୁର ହୋଇ କୁତ୍ତାମ ଚଣ୍ଡୀଙ୍କୁ ପ୍ରଣିପାତ କରି ରହିଛି । ୧୪୯୮ ଖ୍ରୀଷ୍ଟାବ୍ଦରେ ଦେବୀ ପୂଜା ପାଇବା ଉଲ୍ଲେଖ ରହିଛି । ଶ୍ରୀଜୀଉଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେବାରୁ ଉଜ୍ଜୟିନୀରୁ ଆସିଥିବା ତାନ୍ତ୍ରିକ ଦିଗନା ପ୍ରତିକାର ସ୍ୱରୂପ କୁତ୍ତାମ ଚଣ୍ଡୀ ସ୍ଥାପନା ହେବା
ପରେ ଶ୍ରୀମନ୍ଦିରକୁ କୁକୁର ଆଉ ପ୍ରବେଶ କଲେ ନାହିଁ । ଦିନେ କୁତ୍ତାମ ଚଣ୍ଡୀ ରତ୍ନ ସିଂହାସନ ଗର୍ଭ ଗୃହରେ ପୂଜା ପାଉଥିଲେ।କିନ୍ତୁ ବାଦ ବିବାଦ ମଧ୍ୟରେ ମରହଟ୍ଟା ଶାସନ,ବୌଦ୍ଧ ଧର୍ମ ପ୍ରଭାବ ଓ ଇଂରାଜୀ ଶାସନ ମଧ୍ୟରେ ଏଠାକୁ ଅନ୍ୟ ଏକ ରୂପାନ୍ତରରେ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି ।
ଅନନ୍ତ ବାସୁଦେବ

ମୁକ୍ତି ମଣ୍ଡପର ବାମ ପାର୍ଶ୍ୱରେ ଅନନ୍ତ ବାସୁଦେବଙ୍କ ସ୍ୱତନ୍ତ୍ର ଧରଣର ମନ୍ଦିର ଯାହାର ମୁଖଶାଳାଟି ବଡ଼ ଥିବା ବେଳେ ଗର୍ଭ ଗୃହଟି ଛୋଟ । ଅନନ୍ତ କେଶରୀଙ୍କ ପାଟ୍ଟଜେମା ଚନ୍ଦ୍ରିକା ପାଟ୍ଟ ମହାଦେଇଙ୍କଦ୍ୱାରା କ୍ଷୁଦ୍ର ବିଷ୍ଣୁ ମୂର୍ତ୍ତି ଅନନ୍ତ ନାଗ ଉପରେ ଶୟନ କରିଥିବା ବିଗ୍ରହକୁ ସ୍ଥାପନା କରିଥିଲେ ।
ଅନନ୍ତ ବାସୁଦେବଙ୍କ ଏହି ମନ୍ଦିରରେ ଆଦିଶେଷଙ୍କ ବିଗ୍ରହ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ(ଅନନ୍ତ ଚତୁର୍ଦ୍ଦଶୀ) ସନ୍ଧ୍ୟା ଧୂପ ସରିବା ପରେ ଅନନ୍ତଙ୍କ ବ୍ରତ କଥା ପାଠ କଲା ଉତ୍ତାରେ ବନ୍ଦାପନା କରିଥାନ୍ତି।ବାମନ ଜନ୍ମଦିନ ଏଠାରେ ଦେଉଳ ପୁରୋହିତ ହୋମ କରିଥାନ୍ତି ।
ଅନନ୍ତ ବାସୁଦେଙ୍କ ମନ୍ଦିରର ପଶ୍ଚିମକୁ ଦିଗପାଳ ମନ୍ଦିର, ଯାହା ଦକ୍ଷିଣ ମୁଖୀ । ଏଥିରେ ଦିଗପାଳମାନେ ପୂଜା ପାଉଛନ୍ତି ।
ଶ୍ରୀ କ୍ଷେତ୍ରପାଳ(ମହାଦେବ) ମନ୍ଦିର

ମୁକ୍ତି ମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିରଟିକୁ କ୍ଷେତ୍ରପାଳ ମହାଦେବ କୁହାଯାଏ।ଏହା ଅନନ୍ତ ବାସୁଦେବ ମନ୍ଦିରର ନିକଟରେ ପୂଜା ପାଉଛନ୍ତି।ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ରୂପେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କର ନମସ୍ୟ।
ଗଙ୍ଗ ବଂଶୀୟ ନରପତି ଅନଙ୍ଗ ଭୀମଦେବ ଏହାକୁ ନିର୍ମାଣ କରିଥିଲେ । ଅଣଚାଶ ଦେବତାଙ୍କ ଏକ ଗାଁ ବିଶେଷ ଭୈରବ ମହାଦେବ ହିଁ କ୍ଷେତ୍ରପାଳ ଓ ଏହାକୁ ଉପାସନା କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁମତିପ୍ରାପ୍ତ କରିଥାଆନ୍ତି । ଶ୍ରୀକ୍ଷେତ୍ରପାଳ ମହାଦେବଙ୍କ ମନ୍ଦିରରେ ନନ୍ଦୀ, ଭ୍ରୁକୁଟି, ବୃଷଭ, କୀର୍ତ୍ତି ମୁଖ କେହି ନ ଥିଲେ ମଧ୍ୟ
ଶ୍ରୀମହାଲକ୍ଷ୍ମୀ ଓ ଜୟ ବିଜୟ ସ୍ଥାପିତ ହୋଇ ପୂଜା ପାଉଛନ୍ତି । ଶଙ୍ଖ କ୍ଷେତ୍ରରେ ନାଭି ମଣ୍ଡଳରେ ଶ୍ରୀମନ୍ଦିର ଓ କ୍ଷେତ୍ରର ଅଧିପତି କ୍ଷେତ୍ରପାଳ । ଶ୍ରୀକ୍ଷେତ୍ରପାଳଙ୍କୁ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ହିଁ ଶ୍ରୀକ୍ଷେତ୍ର ଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ପ୍ରାପ୍ତି ଫଳ ମିଳେ ।

ମୁକ୍ତି ମଣ୍ଡପ:
ଯଜ୍ଞ ଶ୍ରୀନୃସିଂହ ମନ୍ଦିର

ମନ୍ଦିରର ଅଧିଷ୍ଠାତା ହେଲେ ଯଜ୍ଞ ନୃସିଂହ ବା ମୁକ୍ତ ନୃସିଂହ।ଜଣାଯାଏ ଚୋଡ଼ଗଙ୍ଗ ଦେବ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରି ତା'ର ପ୍ରତିଷ୍ଠା କରିବାର ପୂର୍ବରୁ ଯଜ୍ଞ ନୃସିଂହ ସ୍ଥାପନା କରିଥିଲେ।ଏ ସମ୍ପର୍କରେ ମନ୍ଦିର ଗାତ୍ରରେ ଶିଳାଲିପି ଖୋଦିତ ହୋଇଥିବା ଦେଖିବାକୁ ମିଳେ, ଯାହାକୁ ଡକ୍ଟର ସତ୍ୟନାରାୟଣ
ରାଜଗୁରୁ ପାଠୋଦ୍ଧାର କରି ଲେଖିଛନ୍ତି।୧୧୪୨ ଖ୍ରୀଷ୍ଟାବ୍ଦ ବେଳକୁ ଚୋଡ଼ଗଙ୍ଗ ଦେବ ଓ ତାଙ୍କର ପୁଅ କାମାର୍ଣ୍ଣବଙ୍କର ସମୟରେ ବଳଭଦ୍ର, ପୁରୁଷୋତ୍ତମ ଓ ସୁଭଦ୍ରା ଏହି ନୃସିଂହ ମନ୍ଦିରରେ ପୂଜା ପାଉଥିଲେ।୫୮ ଫୁଟ ଉଚ୍ଚତା ଓ ଏହା ପୂର୍ବାଭିମୁଖୀ।
ରୋହିଣୀ କୁଣ୍ଡ

ଶ୍ରୀକ୍ଷେତ୍ରର ପଞ୍ଚ ତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ।ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ ହୋଇ ପୁଣି ଏହି କୁଣ୍ଡରେ ହିଁ ଲୀନ ହୋଇଯାଏ।ଦାରୁବ୍ରହ୍ମଙ୍କର ଏହି କୁଣ୍ଡରେ ଆବିର୍ଭାବ ହୋଇଥିଲା।ନୀଳମାଧବ ହିଁ ଦାରୁବ୍ରହ୍ମ ଶ୍ରୀପୁରୁଷୋତ୍ତମ ଓ ପରବର୍ତ୍ତୀ ସମୟରେ
"ଶ୍ରୀ ଜଗନ୍ନାଥ " ନାମରେ ପ୍ରତିଷ୍ଠିତ ହୋଇଛନ୍ତି।କଳ୍ପବଟ ଓ ରୋହିଣୀ କୁଣ୍ଡ ମଧ୍ୟସ୍ଥ ପାର୍ଶ୍ୱରେ ଏହି ଦାରୁବ୍ରହ୍ମ ନୀଳମାଧବ ପୂଜା ପାଉଥିଲେ।ଏହି କୁଣ୍ଡରେ ଏକ ତୃଷାର୍ତ୍ତ କାକ ପାଣିରେ ବୁଡି ପ୍ରାଣ ହାରି ମୋକ୍ଷ ଲାଭ କରିଥିଲା। ରୋହିଣୀ କୁଣ୍ଡରେ ଚତୁର୍ଭୁଜ କାକ ଓ ପାଦ ପଦ୍ମ ରହିଛନ୍ତି।
ମା' ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା ମଣ୍ଡପ ପାର୍ଶ୍ୱରେ ଏହା ଅବସ୍ଥିତ। ବର୍ତ୍ତମାନ ୪ଫୁଟ ପ୍ରସ୍ଥ, ୧୦ ଫୁଟ୍ ଲମ୍ବ ଓ ୧ ଫୁଟ ଉଚ୍ଚରେ କୁଣ୍ଡଟିର ଚଟାଣରେ ଦୁଇଟି ଚତୁଷ୍କୋଣ କଳା ମୁଗୁନି ପଥର ଉପରେ ଭୂଷଣ୍ଡ କାକ (ନାରାୟଣ) ଓ ନାଭିଚକ୍ର ରହିଛନ୍ତି, ଯାହା ନୀଳଚକ୍ର ଆକୃତି ସଦୃଶ୍ୟ।
ଜଳକ୍ରୀଡା଼ ମଣ୍ଡପ

ବାହାର ଚନ୍ଦନ ୨୧ଦିନ ନରେନ୍ଦ୍ରରେ ଚାପ, ଭଉଁରୀ ଓ ହଳଦିପାଣିରେ ଶେଷ ହେଲା ପରେ ୨୧ ଦିନ ଭିତର ଚନ୍ଦନ ଯାତ୍ରା ଜଳକ୍ରୀଡ଼ା ମଣ୍ଡପରେ ଜୀଉଙ୍କର ହୋଇଥାଏ।ଏହା ବିମଳା ମନ୍ଦିର ସମ୍ମୁଖ, ରୋହିଣୀ କୁଣ୍ଡ ଦକ୍ଷିଣ ପାର୍ଶ୍ୱ ଓ ଯଜ୍ଞ ଶ୍ରୀନୃସିଂହ ମନ୍ଦିରର ପଶ୍ଚିମ ଭାଗରେ ଅବସ୍ଥିତ।
ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ସୁବାସିତ ଚନ୍ଦନ କୁଣ୍ଡରେ ବୁଡି ଜଳକ୍ରୀଡ଼ା କରିଥାନ୍ତି।
ନାଟ ଗଣେଶ/ନୃତ୍ୟ ଗଣେଶ

କଳା ଚିକ୍କଣ ମୁଗୁନି ପଥରରେ ଅତ୍ୟନ୍ତ କମନୀୟ, ମନୋଲୋଭା ଢ଼ଙ୍ଗରେ ୧ଫୁଟ ଉଚ୍ଚ ବିଶିଷ୍ଟ ସିଂହାସନ ଉପରେ ନୃତ୍ୟରତ ଭଙ୍ଗୀ, ଠାଣୀରେ "ନାଟୁଆ ଗଣେଶ" ୬ ଫୁଟ ଉଚ୍ଚତା ଓ ୩ ଫୁଟ ଓସାରରେ ଅଷ୍ଟଭୁଜ ବିଶିଷ୍ଟ ବିଦ୍ୟମାନ।ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ଦକ୍ଷିଣାଭିମୁଖୀ
୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି।କାଞ୍ଚି ଅଭିଯାନ ସମୟରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ଏହି ନୃତ୍ୟ ଗଣପତିଙ୍କୁ ଆଣି ସ୍ଥାପନ କରିଛନ୍ତି।ଗଣେଶ ପୂଜା ଅବସରରେ ସନ୍ଧ୍ୟା ଧୂପ ପରେ ଏହି ବିଗ୍ରହଙ୍କୁ ପ୍ରସାଦ ଲାଗି ଭୋଗ ଓ ବନ୍ଦାପନା କରାଯାଏ।
ୠକ୍ମିଣୀ ହରଣ ଏକାଦଶୀ ଦିନ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କଲା ପରେ ୠକ୍ମିଣୀ ହରଣ ନିମିତ୍ତ ମଦନମୋହନ ବିଜେ ହୋଇ ନାଟ ଗଣେଶଙ୍କ ସମ୍ମୁଖରେ ଲୁଚି ରହିଥାନ୍ତି। କଥିତ ଅଛି ବେଢ଼ା ପରିକ୍ରମା ସମୟରେ ନାଟୁଆ ଗଣେଶଙ୍କୁ ଦର୍ଶନ କରିବା ନିତାନ୍ତ ଆବଶ୍ୟକ।କାରଣ ସମସ୍ତ ଭକ୍ତଙ୍କ ତାଲିକା ସେ ରଖନ୍ତି ଓ
ପ୍ରଭୁ ଶ୍ରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ରାତ୍ର ଦରବାରରେ ଉପସ୍ଥାପନା କରିଥାନ୍ତି।
ଶ୍ରୀକ୍ଷେତ୍ରାଧିଶ୍ୱରୀ ରାଜରାଜେଶ୍ୱରୀ ଶ୍ରୀ ବିମଳା ଦେବୀ

ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଦେବୀ ନିଜେ ବିମଳା ମହାଭୈରବୀ ଆଦିଶକ୍ତି ଅଟନ୍ତି।ମା' ବିମଳା ପାଦ ପୀଠେଶ୍ୱରୀ ଓ କେହି କେହି ଏହାକୁ ଜିହ୍ୱା ପୀଠ, ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ, ମସ୍ତକ ପୀଠ ବୋଲି ବର୍ଣ୍ଣନା କରିଛନ୍ତି ।
ଶ୍ରୀକ୍ଷେତ୍ରେଶ୍ୱରୀ ରାଜରାଜେଶ୍ୱରୀ ବିମଳା ମା' ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଯଥାର୍ଥରେ-

"ଉତ୍କଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ର ମୁଚ୍ୟତେ।
ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।"
"ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।"
ଶାକ୍ତମାନେ ବିଶ୍ୱାସ କରନ୍ତି ଯେ ବିମଳା ଭୈରବୀ ହିଁ ଆଦିଶକ୍ତି ଅଟନ୍ତି ଓ ନିଜେ ଜଗନ୍ନାଥ ତାଙ୍କର ଭୈରବ ଅଟନ୍ତି। ଅଷ୍ଟମ/ନବମ ଶତାବ୍ଦୀ ବେଳକୁ କଳା ମୁଗୁନି ପଥରରେ ମା' ବିମଳାଙ୍କ ବିଗ୍ରହ ନିର୍ମିତ ହୋଇଥିଲା । ବିମଳା ମା' ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ ।
ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ।୪ହସ୍ତ ଓ ତ୍ରିଚକ୍ଷୁ ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ ( ପ୍ରଭା ବା ସିଂହାସନ ସହ ୬ ଫୁଟ୍)ଙ୍କ ଦକ୍ଷିଣ ପାର୍ଶ୍ୱରେ ମାୟା ଓ ବାମ ପାର୍ଶ୍ୱରେ ଛାୟା ଦେବୀ ଅବସ୍ଥିତା।ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଷଷ୍ଠ ଶତାବ୍ଦୀରେ ଦେବୀ ବିଗ୍ରହ ପ୍ରତିଷ୍ଠା ହୋଇଥିବା କୁହାଯାଇଛି।
ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଗଞ୍ଜାମର ତରଳାର ରାଜା ଦିବ୍ୟସିଂହ ଦେବ(୧୬୯୩-୧୭୨୦)ଙ୍କ ସମୟରେ ମା ବିମଳାଙ୍କ ଭୋଗ ମଣ୍ଡପ ବା ନାଟ ମଣ୍ଡପ ନିର୍ମାଣ କରିଥିଲେ।ଶାରଦୀୟ ପାର୍ବଣ ନୀତି ଷୋଳ ପୂଜାରେ ବିମଳା ମା'ଙ୍କର ୧୧ ବେଶ ହୋଇଥାଏ ।
ଶ୍ରୀ ଗୋପେଶ୍ୱର ମନ୍ଦିର

ଗୋପୀ ଓ ଗୋପର ରକ୍ଷକ ରୂପେ ଗୋପେଶ୍ୱର ଉଭା ହୋଇଥିଲେ । ଏହି ମନ୍ଦିରରେ ଶିବ ଓ ଶ୍ରୀକୃଷ୍ଣ ଉଭୟଙ୍କ ପରିବାର ପୂଜିତ ହେଉଛନ୍ତି । ଏହି ସୁଉଚ୍ଚ ପୀଠ ମନ୍ଦିରଟି ଶୈବ ଓ ବୈଷ୍ଣବ ଉଭୟ ସମ୍ପ୍ରଦାୟର ମିଳନ ପୀଠ ରୂପେ ପ୍ରସିଦ୍ଧି ଲାଭ କରିଛି । ଗୋପେଶ୍ୱର ମହାଶିବ ଓ ମହାବିଷ୍ଣୁଙ୍କ ସମାହାର ଅଟନ୍ତି ।
ରାଜା ଗୋପେଶ୍ୱର ଦେବଙ୍କଦ୍ୱାରା ମନ୍ଦିର ନିର୍ମାଣ ସହ ସବୁ ଠାକୁରଙ୍କୁ ଏଠାରେ ସମାନ ଭାବେ ପୂଜା କରାଯାଉଛି।ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବାଭିମୁଖୀ ମନ୍ଦିରଟିରେ ବିଷ୍ଣୁଙ୍କର ବିଭିନ୍ନ ଅବତାର ସ୍ଥାନିତ ହୋଇଛି ।
ବେଣୁ ମାଧବ ମନ୍ଦିର

ରାଧା ଓ କୃଷ୍ଣଙ୍କର ତ୍ରିଭଙ୍ଗୀ ଠାଣି, ବଂଶୀବାଦନଯୁକ୍ତ ଛୋଟ ଛୋଟ ବିଗ୍ରହଟି ମନ୍ଦିରଟିରେ ବିଦ୍ୟମାନ କିନ୍ତୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦାରୁବ୍ରହ୍ମ ଏହି ମନ୍ଦିରରେ ଶୋଭା ପାଉଛି।ପୂର୍ବାଭିମୁଖୀ ମନ୍ଦିରଟି ମା' ବିମଳା ଓ ଗୋପେଶ୍ୱର ମନ୍ଦିରର ମଧ୍ୟଭାଗରେ ଅବସ୍ଥିତ।
ଏହାକୁ ପଟିଦିଅଁ ମନ୍ଦିର କୁହାଯାଇଥାଏ । ଠାକୁରଙ୍କ ଅଣସର/ଅନବସର ସମୟରେ ପଟିଦିଅଁମାନେ ଏଠାରୁ ଯାଆନ୍ତି ଓ ପରେ ଆସି ରଖାଯାଆନ୍ତି ।
ଶ୍ରୀ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କର ବିଗ୍ରହ ସୁନ୍ଦର ରୂପେ ସ୍ଥାପନା କରାଯାଇ ପୂଜା କରାଯାଉଛି । ଏହି ମନ୍ଦିରଟି ପଶ୍ଚିମ ପାର୍ଶ୍ୱ ଭିତର ବେଢାରେ ପୂର୍ବ ମୁହାଁ ହୋଇ ସ୍ଥାପନ କରାଯାଇଛି । ପୁରୁଷୋତ୍ତମ ଦେବ ଗଜପତିଙ୍କର କାଞ୍ଚି ଅଭିଯାନରୁ ଅଣାଯାଇଥିବା ସାକ୍ଷୀ ଗୋପୀନାଥଙ୍କ ବିଗ୍ରହ ପ୍ରଥମେ
ଏଠାରେ ପୂଜା ପାଇଥିଲେ । ଏଠାରୁ ସାକ୍ଷୀଗୋପାଳ ସତ୍ୟବାଦୀକୁ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଇ ସ୍ଥାନାନ୍ତରିତ କରାଯାଇ ଏହି ବିଗ୍ରହକୁ ସ୍ମାରକୀ ଉପାସନା ନିମନ୍ତେ ସ୍ଥାପନା କରାଯାଇଛି । କାର୍ତ୍ତିକ ମାସ ଅଁଳା ନବମୀରେ ଗୋପାଳ ଓ ଶ୍ରୀରାଧା ପାଦ ଦର୍ଶନ କରିବାକୁ ଏଠାରେ ପ୍ରବଳ ଭିଡ଼ ଲାଗି ରହେ।
ଗୋଟିଏ କୋଠରୀ ମଧ୍ୟରେ ୪ ଫୁଟର ବିଗ୍ରହ ସାକ୍ଷୀଗୋପାଳ ଓ ରାଧା କଳା ମୁଗୁନି ପଥରରେ ନିର୍ମିତ।
ଶ୍ରୀକାଞ୍ଚି ଗଣେଶ/ଭଣ୍ଡ ଗଣେଶ

କାଞ୍ଚି ଗଣେଶଙ୍କ ମନ୍ଦିର ଶ୍ରୀମନ୍ଦିର କୁର୍ମ ବେଢାର ପଶ୍ଚିମ ପାର୍ଶ୍ୱରେ ସାକ୍ଷୀଗୋପାଳଙ୍କ ପାର୍ଶ୍ୱରେ ପୂର୍ବାମୁଖୀରେ ଅବସ୍ଥିତ।କାଞ୍ଚି ରାଜା ଶାଲ୍ୱ ନରସିଂହ ଦେବଙ୍କୁ ୧୪୭୪ ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଯୁଦ୍ଧରେ ପରାସ୍ତ କରି କାଞ୍ଚିର ଇଷ୍ଟଦେବ ଗଣେଶଙ୍କୁ ସାକ୍ଷୀଗୋପାଳଙ୍କ ସହ
ନେଇ ଆସିଥିଲେ।ଜଗନ୍ନାଥ-ବଳଭଦ୍ର କଳା-ଧଳା ଘୋଡାରେ କାଞ୍ଚି ଅଭିଯାନରେ ଯାଇ ଜଗନ୍ନାଥ ପ୍ରଥମେ ଏହି ଗଣେଶଙ୍କୁ ପରାସ୍ତ କରିବାରୁ କାଞ୍ଚି ରାଜା ପରାସ୍ତ ହେଲେ।ଏହାକୁ ଭଣ୍ଡ ଗଣେଶ,ଗୌର ଗଣେଶ, କାମଦ ଗଣେଶ, କାଞ୍ଚି ବିଜୟ ଗଣେଶ, ଉଦ୍ଦିଷ୍ଟ ଗଣେଶ ବୋଲି କୁହାଯାଇଥାଏ।
ଗଣେଶଙ୍କ ଜାନୁ ଦେଶରେ ଦେବୀ ଦ୍ୱିହସ୍ତା ନାନା ଅଳଙ୍କାର ଭୂଷିତା ସିଦ୍ଧିଦେବୀ/ବିଘ୍ନେଶ୍ୱରୀ ଅଟନ୍ତି। ଏହି ବିଗ୍ରହ ଚତୁର୍ଭୁଜ ବିଶିଷ୍ଟ ଓ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ଏହାର ଗଠନ ଅତ୍ୟନ୍ତ କମନୀୟ ଓ ଆକର୍ଷଣୀୟ ଅଟେ।ଡ଼ାହାଣ ପଟ ଉପର ହସ୍ତରେ ଅର୍ଦ୍ଧ ଭଗ୍ନ ଦାନ୍ତ, ତଳ ହସ୍ତରେ ରୁଦ୍ରାକ୍ଷ ମାଳା, ବାମ ପଟ ଉପର ହସ୍ତରେ ଫାର୍ଶା ଓ
ତଳ ହସ୍ତଟି ତଳ ଦେଶରେ।ଗଳାରେ ପରତା ଓ ସର୍ପ ରହିଛି।ମନ୍ଦିରଟି ବେଢ଼ା ପତ୍ତନଠାରୁ ୨୨ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।
କ୍ଷୀରଚୋରା ଗୋପୀନାଥ

ଶ୍ରୀକାଞ୍ଚି ଗଣେଶ ମନ୍ଦିର ପାର୍ଶ୍ୱରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅବସ୍ଥିତ।ଏହି ମନ୍ଦିରରେ କମନୀୟ ରାଧା କୃଷ୍ଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।ଜୟ ଶ୍ରୀ ରାଧେ ରାଧେ କୃଷ୍ଣ ଗୋପାଳଙ୍କର ଛୋଟ ବିଗ୍ରହ ଏହି ମନ୍ଦିର ନିକଟରେ ଅନ୍ୟ ଏକ ଛୋଟ ମନ୍ଦିର ମଧ୍ୟରେ ଅବସ୍ଥାପିତ ଓ ପୂଜିତ।
ଶ୍ରୀ ଭୁବନେଶ୍ୱରୀ ମନ୍ଦିର

ଶକ୍ତି ପୂଜା ମତରେ ପାଞ୍ଚଟି ଆଦି ମାତୃକାଙ୍କର ଆରଧନା କରାଯାଇଥାଏ । ଏହି ଆଦି ମାତୃକାମାନେ ହେଲେ:-୧) ଦେବୀ ସରସ୍ୱତୀ,୨) ଦେବୀ ଗାୟତ୍ରୀ, ୩) ଦେବୀ ସାବିତ୍ରୀ, ୪) ଷଷ୍ଠୀ ଓ ୫) ଭୁବନେଶ୍ୱରୀଦେବୀ।ଏହି ପଞ୍ଚ ମାତୃକା ଆଦି ଲୋକ ମାତୃକା ରୂପେ ବେଶ୍ ପରିଚିତ ଓ ପୂଜିତା ।
ଭିତର ବଖରାରେ ମା' ଭୁବନେଶ୍ୱରୀ ବିଦ୍ୟମାନ ଓ ତାଙ୍କୁ କମଳା ସତ୍ୟଭାମା ରୂପେ ସମ୍ବୋଧିତ କରାଯାଇଥାଏ।ବାହାର ବଖରାର ବାମ ପଟେ ମା'ସରସ୍ୱତୀ, ନୃସିଂହ ଓ ଡ଼ାହାଣ ପଟେ ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନଷୀ ପୂଜିତ ହେଉଛନ୍ତି। ୧୭୦୦ ଖ୍ରୀଷ୍ଟାବ୍ଦରେ ଏହି ଭୁବନେଶ୍ୱରୀ ମା'ଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା।
ଏହି ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ମନ୍ଦିରରେ ମା' ଭୁବନେଶ୍ୱରୀଙ୍କ ବିଗ୍ରହ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ମା'ଭୁବନେଶ୍ୱରୀ ୧୦ ମହାବିଦ୍ୟାରୁ ଅନ୍ୟତମା।ଚତୁର୍ଭୁଜ ବିଶିଷ୍ଟ ପାଶ ଅଙ୍କୁଶ, ଅଭୟ ଓ ବରଦା ମୁଦ୍ରାରେ ସୁଶୋଭିତା।
ଶ୍ରୀ ସରସ୍ୱତୀ

ମା' ଭୁବନେଶ୍ୱରୀ ଦେବୀଙ୍କ ମନ୍ଦିରର ନାଟ ମଣ୍ଡପରେ ମା ସରସ୍ୱତୀ ଏକ ଛୋଟ ମନ୍ଦିରରେ ହଂସ ବାହନ ଉପରେ ବିରାଜମାନ ହୋଇଛନ୍ତି।ସରସ୍ୱତୀ ଦେବୀଙ୍କ ଉଚ୍ଚତା ୧ ଫୁଟ୍ ଓ ଦେବୀଙ୍କ ଡ଼ାହାଣ ପାର୍ଶ୍ୱରେ ୧ ଫୁଟ୍ ଉଚ୍ଚତାରେ ନୃସିଂହଙ୍କ ଏକ କ୍ଷୁଦ୍ର ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି।ଶ୍ରୀ ବସନ୍ତ ପଞ୍ଚମୀ ଦିନ କାକରା ପିଠା ଭୋଗ କରାଯାଏ।
ସନ୍ଧ୍ୟା ଧୂପ ପରେ ମା' ସରସ୍ୱତୀଙ୍କ ନିକଟରେ ୨୨ଟି ନଡ଼ିଆ ଭୋଗ କରାଯାଇ ମାଦଳା ପାଞ୍ଜି ପୂଜା କରାଯାଇଥାଏ।
ମା ଷଷ୍ଠୀ, ସାବିତ୍ରୀ, ଗାୟତ୍ରୀ ଓ ମନସା ଦେବୀ

ମା' ଭୁବନେଶ୍ୱରୀଙ୍କ ମନ୍ଦିରର ନାଟ ମଣ୍ଡପରେ ଦକ୍ଷିଣ ପଟେ ଏକ କ୍ଷୁଦ୍ର ମନ୍ଦିର ପରି ପ୍ରକୋଷ୍ଠରେ ମା' ଷଷ୍ଠୀ, ସାବିତ୍ରୀ, ଓ ଗାୟତ୍ରୀଙ୍କ ବିଗ୍ରହ ପୂଜା କରାଯାଏ।ଷଷ୍ଠୀ ଦେବୀଙ୍କ ପରିବାର ଏଠି ପୂଜିତ ଓ କେତେକ ମନସା ଦେବୀ ଭାବରେ ପୂଜା କରିଥାନ୍ତି।
ଜନ୍ମଦିନମାନଙ୍କରେ ମା' ଷଷ୍ଠୀ ଦେବୀଙ୍କଠାରେ ପିଲାମାନଙ୍କର ଦୀର୍ଘାୟୁ ଏବଂ ସର୍ବ କୁଶଳ ପାଇଁ କାମନା କରି ପୂଜାର୍ଚ୍ଚନା କରାଯାଇଥାଏ।ମା' ଷଷ୍ଠୀ ଦେବୀ ତ୍ରିଭୂଜା ଅଟନ୍ତି।ତାଙ୍କ ବାମ କୋଳରେ ଦିବ୍ୟ ଶିଶୁ ଆତ୍ମ ସୁଖ ଲାଭ କରୁଛନ୍ତି।
ଶ୍ରୀସାବିତ୍ରୀ

ସଧବା ସ୍ତ୍ରୀମାନେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହି ମା'ଙ୍କ ପାଖରେ ସାବିତ୍ରୀ ବ୍ରତ କରିଥାନ୍ତି।
ଶ୍ରୀଗାୟତ୍ରୀ

ଏଠାରେ ମା'ଗାୟତ୍ରୀ ଦେବୀ ମଧ୍ୟ ପୂଜିତା ଓ ସର୍ବ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।
ଶ୍ରୀନୀଳମାଧବ

ଶ୍ରୀନୀଳମାଧବ ମନ୍ଦିର ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ଅବସ୍ଥିତ।ପ୍ରଥମେ ନୀଳମାଧବ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ହେଉଥିଲେ।ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଆଗରୁ ଶ୍ରୀକ୍ଷେତ୍ରରେ ଅପ୍ରାକୃତିକ ନୀଳମାଧବ ମୂର୍ତ୍ତି ଗାଲ ମାଧବ ସିଂହାସନ ଉପରେ ପୂଜା କରୁଥିଲେ।ଇନ୍ଦ୍ରଦ୍ୟୁମ୍ନ ତାହାକୁ ଏଠାକୁ ସ୍ଥାନାନ୍ତରିତ
କରିଛନ୍ତି। ନୀଳମାଧବ ମନ୍ଦିରର ଉଚ୍ଚତା ୩୪ ଫୁଟ୍।ଗର୍ଭଗୃହ ଓ ଜଗମୋହନ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି।ମନ୍ଦିରର ଉତ୍ତର ପାର୍ଶ୍ୱରେ ୨ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିବିକ୍ରମ ପୃଥ୍ୱୀ ଦେବୀଙ୍କୁ ଏକ ପାଦରେ ଟେକି ଧରିଛନ୍ତି।ନୀଳମାଧବ ଚତୁର୍ଭୁଜ ବିଶିଷ୍ଟ ଅଟନ୍ତି।
ଡ଼ାହାଣ ହସ୍ତରେ ଚକ୍ର, ତଳ ହସ୍ତରେ ପଦ୍ମ ଥିବା ବେଳେ ବାମ ଉପର ହସ୍ତରେ ଶଙ୍ଖ ଓ ନିମ୍ନ ହସ୍ତରେ ଗଦା ଧାରଣ କରିଛନ୍ତି।ନୀଳମାଧବ ବିଗ୍ରହଙ୍କର ଉଚ୍ଚତା ୨ ଫୁଟ୍ ବିଶିଷ୍ଟ ଅଟେ।ଅତୀବ ଭାସ୍କର୍ଯ୍ୟ ପୂର୍ଣ୍ଣ ଓ ପ୍ରାଣବନ୍ତ ଶବର ରାଜା ବିଶ୍ୱାବସୁ ଦୁଇ ହସ୍ତରେ ପାଚିଲା ଫଳ ଓ ନୈବେଦ୍ୟ ମାଧବଙ୍କୁ ଦେଉଥିବା ଓ
ନିଜ ପଛେ ଶର ତୁଣି ଧରିଥିବା ଦେଖାଯାନ୍ତି।।ବିଶ୍ୱାବସୁଙ୍କ ବିଗ୍ରହ ୬ଇଞ୍ଚ ବିଶିଷ୍ଟ ଅଟେ। ନୀଳମାଧବଙ୍କ ଡ଼ାହାଣରେ କଳା ମୁଗୁନି ପ୍ରସ୍ତରରେ ନିର୍ମିତ ୧ଫୁଟର ବଂଶୀଧାରୀ ଶ୍ରୀକୃଷ୍ଣ ରହିଛନ୍ତି।ବାମ ପଟେ ୨ ଫୁଟ୍ ଉଚ୍ଚତାର ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କର ପୂଜା ପାଉଛନ୍ତି।
ଶ୍ରୀକୃଷ୍ଣ,ନୀଳମାଧବ ଓ ଶ୍ରୀଜଗନ୍ନାଥ ତ୍ରିଦେବ ହିଁ ନୀଳମାଧବ ନାମରେ ପୂଜା ପାଉଛନ୍ତି।
ଶ୍ରୀବେଢାକାଳୀ

ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟରେ ଏହି ମା'ଙ୍କ ମନ୍ଦିର ଅବସ୍ଥିତ।ଏହି ମା'ଙ୍କୁ ଭଦ୍ରକାଳୀ ବା ଗୁହ୍ୟ କାଳୀ କୁହାଯାଇଥାଏ।ପୂର୍ବରୁ ଚାରିପାର୍ଶ୍ୱ ଘଞ୍ଚ ବୃକ୍ଷ ରାଶି ଛାୟା ବେଢ଼ି ରହିଥିଲା।
ଏଣୁ ବହୁ ଲୋକ ମୃତ୍ୟୁମୁଖରେ ପଡିଛନ୍ତି।ମରହଟ୍ଟା ରାଜତ୍ୱରେ ବାବା ବ୍ରହ୍ମଚାରୀଙ୍କ ଉଦ୍ୟମରେ କାଳୀଙ୍କ ସମ୍ମୁଖରେ ବର୍ତ୍ତମାନର ବିଗ୍ରହ ସ୍ଥାପନା କରାଯାଇଥିଲା ଓ ଯନ୍ତ୍ର କାଳୀ ଓ ବେଢ଼ାକାଳୀଙ୍କ ପ୍ରକୋପକୁ ଶାନ୍ତ କରାଯାଇଥିଲା।କୁର୍ମ ବେଢ଼ା, ଶ୍ରୀମନ୍ଦିରର ରକ୍ଷକ ରୂପେ ବେଢ଼ାକାଳୀ ପ୍ରଭୁଙ୍କ ପହୁଡ଼ ପରେ ଜାଗ୍ରତ ହୋଇ ରହିଥାନ୍ତି।
ମା'ଭଦ୍ରକାଳୀ ତଥା ବେଢ଼ା କାଳୀ ଗର୍ଭ ଗୃହରେ ପୂଜା ପାଆନ୍ତି।ଭଦ୍ରକାଳୀ ପରମ ବୈଷ୍ଣବୀ ଅଟନ୍ତି।ଏହି କାଳୀ ମା'ଙ୍କ ମୂର୍ତ୍ତି ଝୁଣା ଓ ତୈଳ ମିଶ୍ରିତ ଉପାଦାନ "ଓଷୁଅ"ରେ ନିର୍ମିତ କିନ୍ତୁ ମୂଳ ପଥର ମୂର୍ତ୍ତି ଏହାଙ୍କ ପଶ୍ଚାତ ଭାଗରେ ଅଧିଷ୍ଠିତା।
ବର୍ତ୍ତମାନର ମୂର୍ତ୍ତିର ଡ଼ାହାଣ ପାର୍ଶ୍ୱକୁ ଏକ କଣା ରହିଛି ଯେଉଁ ବାଟେ ହିଁ ପ୍ରତିଦିନ ଫୁଲ ଚନ୍ଦନ ମୂଳ ଦେବୀଙ୍କୁ ଅର୍ପଣ କରାଯାଏ।
ଶ୍ରୀ ଲକ୍ଷ୍ମୀନାରାୟଣ

ମା' ବେଢ଼ାକାଳୀଙ୍କ ଉତ୍ତର ଦିଗରେ ଶ୍ୱେତ ମାର୍ବଲର ଅତୀବ କମନୀୟ ଲକ୍ଷ୍ମୀ-ନାରାୟଣଙ୍କ ବିଗ୍ରହ ପୂଜା ପାଉଛନ୍ତି।ବିଶ୍ୱାସ ଅଛି ଯେ, ଏଠାରେ ମାନସିକ ରଖି ବିବାହ ପ୍ରସ୍ତାବ ନିମନ୍ତେ ନଡ଼ିଆ, ଦୀପ, ପୁଷ୍ପ, ବସ୍ତ୍ର ଲାଗି କରିଦେଲେ ତୁରନ୍ତ ପୁଅ ଝିଅଙ୍କ ବିବାହ ହୋଇଯାଏ।
ମହାଲକ୍ଷ୍ମୀଙ୍କର ମନ୍ଦିରର ପଶ୍ଚାତ ଭାଗରେ ଏହି ମନ୍ଦିରଟି ବିଦ୍ୟମାନ।
ଶ୍ରୀମହାଲକ୍ଷ୍ମୀ

ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ।ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ।ଯଥା:-୧) ଗର୍ଭ ଗୃହ ବା ବିମାନ, ୨) ଜଗମୋହନ, ୩) ନାଟ ମଣ୍ଡପ, ୪) ଅଚିନ୍ତା ମଣ୍ଡପ।ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ
ଉତ୍ତରରେ ବିଦ୍ୟମାନ ହୋଇଛନ୍ତି।ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି।ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି । ଐତିହାସିକମାନେ/ଗବେଷକମାନେ ଭିନ୍ନ ଭିନ୍ନ ମତ ରଖନ୍ତି ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନଙ୍ଗ ଭୀମଦେବ କିମ୍ବା
ଚୋଡ଼ଗଙ୍ଗ ଦେବ କରାଇଛନ୍ତି।ମାଦଳା ପାଞ୍ଜି ଅନୁଯାୟୀ ପ୍ରଥମେ ଏହି ମନ୍ଦିର କାର୍ଯ୍ୟ ଯଯାତି କେଶରୀ ଓ ପରେ ଅନଙ୍ଗ ଭୀମଦେବ କରାଇଛନ୍ତି।ମନ୍ଦିରର ପୂର୍ବ ଦିଗକୁ ଛାଡ଼ି ତିନି ପଟେ ଗଜଲକ୍ଷ୍ମୀଙ୍କ ବିଗ୍ରହ ବିଦ୍ୟମାନ ହୋଇଛନ୍ତି।ଗର୍ଭ ଗୃହର ଦୁଇ ପାର୍ଶ୍ୱରେ ମା' ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ବିରାଜିତା।
ଲକ୍ଷ୍ମୀ ମନ୍ଦିରର ବିମାନ ନିର୍ମାଣ କାର୍ଯ୍ୟ ଗଜପତି ବଳଭଦ୍ର ଦେବଙ୍କ ପୁତ୍ର ମୁକୁନ୍ଦ ଦେବଙ୍କ ପୁତ୍ର ପିତାମ୍ବର ବିଦ୍ୟାଧର ମହାପାତ୍ର କରାଇଥିଲେ।କଳା ମୁଗୁନି ପଥରରେ ନିର୍ମିତ ଦେବୀଙ୍କ ବିଗ୍ରହ ସିଂହାସନ ଉପରେ ବିରାଜିତା ହୋଇଛନ୍ତି।ଏହି ମୂର୍ତ୍ତି ପ୍ରଭାସହ ୪ ଫୁଟ୍ ଉଚ୍ଚତା ବିଶିଷ୍ଟ।ଦେବୀ ପଦ୍ମାସନା ଓ ଚତୁର୍ଭୁଜା ହୋଇ ବିରାଜମାନ
ହୋଇଛନ୍ତି। ଦୁଇ ପଟେ ଦୁଇ ଯୁଗଳ ହସ୍ତୀ ସ୍ୱର୍ଣ୍ଣ କୁମ୍ଭରୁ ମହାଲକ୍ଷ୍ମୀଙ୍କୁ ଜଳ ଢାଳୁଛନ୍ତି।ଏହି ରୂପ ମହାଲକ୍ଷ୍ମୀଙ୍କର "ଗଜଲକ୍ଷ୍ମୀ" ରୂପେ ପ୍ରଖ୍ୟାତ।ଜଗମୋହନ, ମହାଲକ୍ଷ୍ମୀ ମନ୍ଦିରରେ "ତ୍ରିପଦ ଭକ୍ତି ବୈକୁଣ୍ଠ ମଣି ମଣ୍ଡପ" ନାମରେ ଖ୍ୟାତି ଲାଭ କରିଛନ୍ତି।
ନବଗ୍ରହ ମନ୍ଦିର

ଲକ୍ଷ୍ମୀ ମନ୍ଦିରର ନାଟ ମଣ୍ଡପର ଉତ୍ତର ପାର୍ଶ୍ୱରେ ନବ ଗ୍ରହ ମନ୍ଦିରରେ ୪ ଫୁଟ୍ ଉଚ୍ଚ କାନ୍ଥକୁ ଲାଗି ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ବିଗ୍ରହ ବିପରୀତ କ୍ରମାନୁଯାୟୀ ପ୍ରତିଷ୍ଠିତ ହୋଇ ଦକ୍ଷିଣରୁ ବାମକୁ ପୂଜା ହେଉଛନ୍ତି।
ଏଥିପାଇଁ ଗ୍ରହମାନଙ୍କ ଅବସ୍ଥିତିରେ ବୈଷମ୍ୟ ଉପଲବ୍ଧ କରାଯାଇଥାଏ।ପଥର ପୂର୍ବାଭିମୁଖୀ ନବଗ୍ରହ ବିଗ୍ରହମାନଙ୍କ ବ୍ୟତୀତ ସମଲେଶ୍ୱରୀ, ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ମଧ୍ୟ ପୂଜିତ ହୋଇଥାଏ।
ଶ୍ରୀବଦ୍ରିନାରାୟଣ-ଦ୍ୱାରିକାନାଥ

ନବଗ୍ରହ ଓ ସୂର୍ଯ୍ୟନାରାୟଣ ମଧ୍ୟସ୍ଥ ଏବଂ ଲକ୍ଷ୍ମୀ ମନ୍ଦିରର ପୂର୍ବ ଦ୍ୱାରର ପ୍ରାରମ୍ଭ ଉତ୍ତର ପାର୍ଶ୍ୱରେ ଶ୍ରୀବଦ୍ରିନାରାୟଣ ମନ୍ଦିର ଓ ଦ୍ୱାରିକାନାଥ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ପୂଜା ହେଉଛନ୍ତି।
ସୂର୍ଯ୍ୟ-ଚନ୍ଦ୍ର ମନ୍ଦିର

ଧର୍ମ ଦେବତାଙ୍କ ନିମନ୍ତେ ପ୍ରାରମ୍ଭରେ ଏହି ମନ୍ଦିର ନିର୍ମାଣ ହୋଇଥିଲା।ଏହି ମନ୍ଦିରରେ ବୈବାହିକ ନିର୍ବନ୍ଧ କାର୍ଯ୍ୟ କରାଯାଇଥାଏ।ଏହି ମନ୍ଦିର ଇନ୍ଦ୍ର ମନ୍ଦିର ନାମରେ ମଧ୍ୟ ସୁପରିଚିତ ଥିଲା।ମାଦଳା ପାଞ୍ଜିରୁ ଜଣାଯାଏ ଯେ, ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ
ସୂର୍ଯ୍ୟ ଚନ୍ଦ୍ରଙ୍କୁ ଆଣି ଏଠାରେ ସ୍ଥାପନା କରିଥିଲେ।୧୬୨୮ ମସିହା ମାର୍ଚ୍ଚ ୧୭ ତାରିଖରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଆଣି ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନା କରିଥିଲେ ବୋଲି ଜଣା ପଡିଛି।ଏହି ମନ୍ଦିରଟି ୩ ଭାଗରେ ବିଭକ୍ତ ଯଥା:- ୧) ବିମାନ, ୨) ଜଗମୋହନ, ୩) ନାଟ ମନ୍ଦିର।ଏହି ମନ୍ଦିର ୬୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।
ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟ ମନ୍ଦିରମାନଙ୍କ ଅପେକ୍ଷାରେ ବଡ଼।ଇନ୍ଦ୍ରଙ୍କ ଅର୍ଦ୍ଧ ଭଗ୍ନ ବିଗ୍ରହ ସୂର୍ଯ୍ୟ ନାରାୟଣଙ୍କ ମଣି ବିଗ୍ରହର ଠିକ୍ ପଛ ପାର୍ଶ୍ୱରେ ଥିବା ଜଣାଯାଏ।ଜଗମୋହନର ମଧ୍ୟ ଭାଗରେ ଏକ ରଥାକୃତି କାଷ୍ଠ ସିଂହାସନରେ ଧାତୁ ନିର୍ମିତ ସୂର୍ଯ୍ୟ ପ୍ରତିମାଙ୍କ ଚଳନ୍ତି ବିଗ୍ରହ ଓ ବାମ ଭାଗରେ ଛାୟା ବିଗ୍ରହ ବା ଉତ୍ତରାୟଣ ବା
ଚନ୍ଦ୍ର ବିଗ୍ରହ ବୋଲି କୁହାଯାଏ।ଏଠାରେ ଥିବା "ଜ୍ୱର ଦେବତା"ଙ୍କ ମଣି ବିଗ୍ରହ ତିନି ମୁଣ୍ଡ, ପାଞ୍ଚ ହାତ ବିଶିଷ୍ଟ ଅଟେ।ରଥ ଉପରେ "ପଦ୍ମ ମାଧବ" ବିଗ୍ରହ ରଥାସୀନ ହୋଇଛନ୍ତି।
ଶ୍ରୀଦଧୀବାମନ ଜୀଉ

ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପାଖରେ ୩୦ ହାତ ଉଚ୍ଚତା ବିଶିଷ୍ଟ ରଥାକୃତି ମନ୍ଦିର ଓ ଜଗମୋହନ ରହିଛି।ମୁଖ୍ୟ ମନ୍ଦିର ଚୂଡ଼ାରେ ଚକ୍ର ଶୋଭା ପାଉଛନ୍ତି।ମନ୍ଦିରର ଉତ୍ତରରେ ଶ୍ରୀବଳି ବାମନ, ଦକ୍ଷିଣରେ ଶ୍ରୀବରାହ ଓ ପଶ୍ଚିମ ପାର୍ଶ୍ୱରେ ଶ୍ରୀନୃସିଂହ ବିରାଜମାନ ହୋଇଛନ୍ତି।ମୁଖ୍ୟ ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ରହିଛି।
ମୁଖ୍ୟ ବିଗ୍ରହ ପୂର୍ବାଭିମୁଖୀ ଅଟନ୍ତି।ଏକ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ସିଂହାସନ ଉପରେ ଶାଳଗ୍ରାମ ଶିଳାରେ୪ ଫୁଟ୍ ଉଚ୍ଚତା ବିଶିଷ୍ଟ ମୁରଲୀଧାରୀ ହସ୍ତ ଓ ଛନ୍ଦା ପୟରରେ ନୃତ୍ୟରତ ହୋଇଥିବା ଦଧିବାମନ ଠାକୁର ବିରାଜିତ ହୋଇଛନ୍ତି।
ଶ୍ରୀଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିର

ଶ୍ରୀ ଗୋପୀନାଥ ଓ ରାମଚନ୍ଦ୍ର ମନ୍ଦିରରେ ରାମାୟଣ ଓ ମହାଭାରତ ଯୁଗର ସହାବସ୍ଥାନ ଦେଖାଯାଇଥାଏ।ଏଠାରେ ପ୍ରଭୁ ଶ୍ରୀକୃଷ୍ଣ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପୂଜା କରାଯାଇଥାଏ।
ବଳୀ ପାତାଳ ମନ୍ଦିର

କୁର୍ମ ବେଢାର ଉତ୍ତର ପାର୍ଶ୍ୱ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ପୂର୍ବାଭିମୁଖୀ ହୋଇ ବଳୀ ପାତାଳ ମନ୍ଦିର ରହିଛି। ଏହି ମନ୍ଦିରକୁ ଶ୍ରୀପାତାଳେଶ୍ୱର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହା ବେଢାର ପତନଠାରୁ ଅଧେ ଅଂଶ ପୋତି ହୋଇ ରହିଲା ପରି ଲାଗୁଛି। ଏହି ମନ୍ଦିରଟି ରାଜା ଅନଙ୍ଗ ଭୀମ ଦେବ ନିର୍ମାଣ କରିଥିଲେ।
ଏହି ମନ୍ଦିରଟି କେବଳ ଗର୍ଭ ଗୃହ ବା ବିମାନ ସମ୍ବଳିତ ମନ୍ଦିର ଅଟେ।ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ନିଜ ପାଦରେ ଚାପି ଦେଇଥିବା ବଳୀ ଏଠାରେ ପାତାଳେଶ୍ୱର ନାମରେ ରହିଛନ୍ତି ଓ ନୀଳଚକ୍ର ପତିତପାବନକୁ ଚାହିଁ ଶ୍ରୀବିଷ୍ଣୁଙ୍କ ସାନିଧ୍ୟ ପାଇଛନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ୨୨ ପାହାଚ ତଳକୁ ଗଲେ ୨୦ ଫୁଟ ତଳେ ପାତାଳେଶ୍ୱର ମହାଦେବ
ବିଦ୍ୟମାନ ଅଟନ୍ତି।ପୋଖରିଆର ମଧ୍ୟରେ ଅଢ଼େଇ ଫୁଟ୍ ବ୍ୟାସ ବିଶିଷ୍ଟ ଶିବଲିଙ୍ଗ, ଶକ୍ତି ଓ ଶକ୍ତିଙ୍କ ଉପରେ ପାଞ୍ଚଟି ତମ୍ବା ନିର୍ମିତ ସର୍ପ ପୂଜା ପାଉଛନ୍ତି।ଗମ୍ଭୀରାର ପଶ୍ଚିମ କାନ୍ଥକୁ ଲାଗି ୩ ଫୁଟ ଉଚ୍ଚତାର ବଳୀ ମହାରାଜ, ଦେଢ଼ ଫୁଟ୍ ଉଚ୍ଚତାର ଏକ ଭଗ୍ନ ଗଣେଶ ଓ ୨ ଫୁଟ୍ ଉଚ୍ଚତାର କାଳୀୟ ଦଳନ ମୂର୍ତ୍ତି , ଖିଲାଣ ଉପରେ ନବଗ୍ରହ, ରାହୁ ଓ
ଶଙ୍କରାଚାର୍ଯ୍ୟ ଆଦିଙ୍କ ମୂର୍ତ୍ତି ଓ ରାମନନ୍ଦୀ ଚିତା ରହିଛି।ଏହାର ବାମରେ କ୍ଷୁଦ୍ର ବୃଷଭ ରହିଛି।ଏହାର ଦୁଇ ପାର୍ଶ୍ୱର କାନ୍ଥରେ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବଙ୍କ ସାତଟି ଶିଳାଲେଖ ଉଦ୍ଧାର ହୋଇଛି। ପାତାଳେଶ୍ୱର ମହାଦେବଙ୍କ ଦର୍ଶନ ସାରି ଉତ୍ତର ଦ୍ୱାର ମାର୍ଗରେ ଭକ୍ତିପୂର୍ବକ ଐଶାନେଶ୍ୱର, ଶୀତଳା, ଉତ୍ତରାୟଣୀ ଲୋକେଶ୍ୱର,
ବୈକୁଣ୍ଠେଶ୍ୱର ଓ ତପସ୍ୱୀ ହନୁମାନ ୬ ଜଣ ଦେବତାଙ୍କ ଦର୍ଶନର ବିଧି ରହିଛି।
ପାଦପଦ୍ମ

କୁର୍ମ ବେଢାର ଉତ୍ତର ପାର୍ଶ୍ୱର ଦ୍ୱାରର ପୂର୍ବ ଦିଗକୁ, ଭକ୍ତ ଶ୍ରୀଚୈତନ୍ୟଙ୍କ ପଦ ଚିହ୍ନ ଯାହା ଗରୁଡ଼ ପଛରେ, ଜଗମୋହନରେ ଥିଲା ତାକୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ।କୀର୍ତ୍ତନ ଚକଡାରେ ଏହା ଥିବାରୁ ସଂକୀର୍ତ୍ତନ କରାଯାଏ । ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କ ବିଗ୍ରହ କ୍ଷୁଦ୍ର ମନ୍ଦିର ମଧ୍ୟରେ ରହିଛନ୍ତି।
କଳା ମୁଗୁନି ପ୍ରସ୍ତରରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ମନୋମୁଗ୍ଧକର ବିଗ୍ରହମାନେ ପୂଜା ପାଉଛନ୍ତି ଓ ଏହି ମନ୍ଦିରର ଆଗରେ ଥିବା ମଣ୍ଡପରେ ଫୁଲହାର ପ୍ରଭୁଙ୍କର ଗୁନ୍ଥାଯାଏ।
ଶୁଆ-ସାରୀ ମନ୍ଦିର

ରାମଚନ୍ଦ୍ର ତଥା ରାଧାକୃଷ୍ଣଙ୍କ ବିଗ୍ରହ ପାଦପଦ୍ମ ନିକଟରେ କ୍ଷୁଦ୍ର ମନ୍ଦିରର ପୂଜା ପାଆନ୍ତି।
ଶ୍ରୀ ଐଶାନେଶ୍ୱର ମହାଦେବ

ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ବେଢାର ପତନଠାରୁ ୨୫ ଫୁଟ୍ ତଳେ ଈଶାନେଶ୍ୱର ପ୍ରଭୁଙ୍କ ମନ୍ଦିର ରହିଛି । ଭିତର ବେଢାରୁ ଉତ୍ତର ଦ୍ୱାରକୁ ଯିବା ସମୟରେ ପୂର୍ବ ପଟ ସଂଲଗ୍ନ ହୋଇ ଈଶାନେଶ୍ୱର ମହାଦେବ ବିଦ୍ୟମାନ ହୋଇଛନ୍ତି ଓ ଏହାର ପ୍ରବେଶ ଦ୍ୱାରଟି ଉତ୍ତରାଭିମୁଖୀ ହୋଇ ରହିଛି।ମାଦଳା ପାଞ୍ଜିରୁ ଜଣାପଡେ ଯେ
ଏହାକୁ ଧ୍ରୁବ କେଶରୀ ନିର୍ମାଣ କରିଛନ୍ତି । ଈଶାନେଶ୍ୱରଙ୍କୁ ଶ୍ରୀଜଗନ୍ନାଥଙ୍କ ଗୁରୁ ବୋଲି ବିବେଚନା କରାଯାଏ ଓ ଶ୍ରୀଜଗନ୍ନାଥ ମନ୍ଦିର ବହୁ ପୂର୍ବରୁ ସେ ଏଠାରେ ରହିଛନ୍ତି।ଗର୍ଭଗୃହରେ ୨ ଫୁଟରେ ୨ ଫୁଟ୍ ଆୟତନର ଉତ୍ତରାଭିମୁଖୀ ଶକ୍ତି ପୂଜା ପାଉଛନ୍ତି । ଏହାର ଲିଙ୍ଗ ୧ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ ।
ଆଜିର ବିଷୟ :- #ରତ୍ନଭଣ୍ଡାର, #ପାର୍ଶ୍ୱଦେବତା, #ବେଢ଼ା_ଦେବଦେବୀ
ତଥ୍ୟ ସଂଗ୍ରହ :- @OdiaWiki
ଫଟୋ ସଂଗ୍ରହ :- @JagannathaDham
Missing some Tweet in this thread? You can try to force a refresh.

Keep Current with || Pravat Parija || OD|IND 🇮🇳

Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

Twitter may remove this content at anytime, convert it as a PDF, save and print for later use!

Try unrolling a thread yourself!

how to unroll video

1) Follow Thread Reader App on Twitter so you can easily mention us!

2) Go to a Twitter thread (series of Tweets by the same owner) and mention us with a keyword "unroll" @threadreaderapp unroll

You can practice here first or read more on our help page!

Follow Us on Twitter!

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!