(ସୂତା)

ଗୋଟିଏ ଗାଁରେ ରଜ
#ରଜପର୍ବ

ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି। ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ ଚଳିବ । ତା’ ଆଗକୁ ବଢେଇ ସାହି ।

ସେ ଜାଗାରେ ନଈ କୂଳେ ଘଞ୍ଚ ଗଛ ଅଧିକ ଆଉ ନଈ ବି ଟିକେ ଗଭୀର ହୋଇ ଯାଇଛି । ସେଇଠି ନଈର ଗଣ୍ଡ ଅଧିକ । ମୁଁ ସବୁଦିନେ ନଈବନ୍ଧରେ ବସି ଅନେଇଲା ବେଳେ ମତେ ଲାଗେ- ରଜ ସେଇଠୁ ଉଠି ଆସୁଛି । କାଖରେ ପାଣି ମାଠିଆ ଧରି । ନଈବନ୍ଧ ବାଟେ ଦାଣ୍ଡ ଗଡ଼ିଆ ଦେଇ ଗାଁ ଭିତରକୁ ପଶୁଛି ।

ପଛରେ ତା’ ଦିହରେ ଗୁଡେ଼ଇ ହୋଇ ଆସୁଛି ଖାଲି ହସ, ଥଟ୍ଟାମଜା ଓ ମଉଚ୍ଛବର ଲମ୍ବା ପଣତ କାନି ।

ଏପଟେ ପୁଣି ମହାଦେବ ପାଖେ ନଈ କୂଳକୁ ଅନେଇ ବସିଥିବା ବେଳେ ଫେଣ ଭର୍ତ୍ତି, ମାଟିଆ ପାଣି ମାଡ଼ି ମାଡ଼ି ଆସେ । କୋଉ ବର୍ଷ ଆସେ । କୋଉ ବର୍ଷ ଆସେନା । ଡେରି କରେ ସେ । ବଢିପାଣି ତା’ ନାଁ ।

ବଢିପାଣି ନଈ ଛାତି ଭିତରେ ବୋହି ଆସୁଥିବ ଆଉ ଆମେ ସେ ପାଣି ଆଗେ ଆଗେ ଧାଉଁଥିବୁ ଗୋଟେ ତାଳ ବରଡ଼ା ଚକିରି ଧରି। ନୂଆସାହି ପାଖରୁ ଏ ଦଉଡ଼ା ଆରମ୍ଭ ହୋଇ ବାଲିଝରି ପାଖରେ ସରେ । ସେ ଗଛ ଭର୍ତ୍ତି ନଈ ଦଣ୍ଡାରେ। ଲାଗେ ଦଉଡ଼ା ସରିବା ପରେ ରଜ ନରମ ପାଦରେ ଗାଁ ଭିତରେ ପଶୁଛି । ଅଳତା ରଂଗା ପାଦରେ। ପାଉଁଜି ରୁଣୁଝୁଣୁ ଶବ୍ଦରେ, ଖିଲିଖିଲି ହସରେ।

ରଜକୁ ମୁଁ ଆଗେ ଫକୁନିନା’ଘରେ ଦେଖେ । ତାଙ୍କ ଲମ୍ବା ଖଞ୍ଜା ଆଉ ବାଡ଼ି ପାଖ ପିଣ୍ଡାରେ ରଜ ଆସି ବସେ କାନିରେ ଗଣ୍ଠି ପକେଇ । ନଈ ଆଡ଼କୁ ମୁହଁ କରି । ବାଳ ମୁକୁଳେଇ। ଫକୁନିନା’ ବୋଉ ସେ ଦେଈ ପତଳା ପତଳା ଚକୁଳି କରି ପାଛିଆରେ ଆଣି ଆମ ସାମ୍ନାରେ ରଖି ଦେଉଥିବ । ସାଙ୍ଗରେ ଥିବ ଦହି ଛେନାରେ ଗୁଡ଼ ପଡ଼ିକି ଜନ୍ତା । ଛେନା ସନ୍ତୁଳା ।

ଆଉ ସରୁ ସରୁ ଆଳୁଭଜା । ଆମେ ପାଞ୍ଚ ସାତ ଜଣ ସେଇଠି ଖାଉଥିବୁ। କ୍ରିକେଟ, କଲେଜ ଜୀବନ, ବଢିପାଣି ଗପ ଆଦି ଚାଲିଥିବ। ଗୋଟେ ଦୋଳିରେ ତକିଆ ପକେଇ ମୁଁ ବସି ଝୁଲୁଥିବି। ଥରେ ଝୁଲି ଆସି ପିଠା ଖଣ୍ଡେ ଖାଇଦେଇ ପୁଣି ଚାଲି ଯାଉଥିବି । ଦେଈ ଆକଟ କରୁଥିବ- ପୁପୁ, ତୁ ବସିକି ଖାଉନୁରେ । ଫକୁନିନା’ କହୁଥିବ-ସେ ଖାଉ ସେମିତି । ତୋର ଅସୁବିଧା କଣ?

ରାସ୍ତା ଏ ପାଖେ ମୀନା ବୋଉ ଘରେ ଦୋଳି ଲାଗିଥିବ । କାଚଣ୍ଡା ଗଛରେ ଦୋଳି ଝୁଲୁଥିବ । ମୀନା ବୋଉ କେତେବେଳେ ରାଗୁଥିବ ତ କେତେବେଳେ ହସୁଥିବ- ତମେ ତ ଆମ ଘରେ ଆଡେ଼ ଆସୁନା । ବାଇଆ (ତାଙ୍କ ପୁଅ) କଇଥିଲା ରଜୁକୁ ଆସିବ । କାଇଁ ଆଇଲାନି । ଅନେଇ ବଇଚି ମୁଁ । ତା’ପରେ ଦାଣ୍ଡ କୂଅ । ସେଇଠି କ୍ରିକେଟ ଚାଲିଥିବ ।

ଟୁକୁମ କକା, ଫିପି କକା, ବକୁ, ନାଲୁ, ସୁକୁଟି ନା’, କାଳିଆ ସବୁ କୂଅରେ ୱିକେଟ ଗାର ଟାଣି କ୍ରିକେଟ ଖେଳୁଥିବ । କେତେବେଳେ ବଲ ସାମ୍ନାରେ ବନା ଦା’ଙ୍କ ଗୁହାଳ ଭିତରେ ପଶି ଯାଉଥିବ । ଗୋବର ଓ କାଦୁଅ ବଲକୁ ଦାଣ୍ଡରେ କୋଉ ଗୋଟେ ଗଛରେ ପୋଛି ଦେଇ ପୁଣି ଖେଳ ଚାଲିଥିବ ।
ଆଉ ଟିକେ ଆଗକୁ ଦାଣ୍ଡ ଚଉଁରା । ୧୯୭୫ ମସିହାରେ ତିଆରି ହୋଇଥିଲା । ଗାଁ ସାରା ଝିଅ ସେଇଠି ଗୋଟେ ଜାଗାରେ କୁମାର ପୁନେଇଁ କରନ୍ତି । କାର୍ତ୍ତିକକୁ ମୁରୁଜ ପକାନ୍ତି । ଚଉଁରା ଉପରେ ଦଶିଆ ସାଆନ୍ତ ବସି କାହାକୁ ଡାକୁଥିବେ- ହଇଲୋ ଛଟକି, ତୋ ବୋଉ ପୋଡ଼ପିଠା କରିନି କି ? ଯାଉନୁ ଖଣ୍ଡେ ଆଣିବୁ ।

ସାମ୍ନା ଝିଅ ମୁହଁ ମୋଡ଼ି ଦେଇ ଯାଉଥିବ- ଉଁ, ବୁଢା ଯାଉନୁ ଲୋ, ତୋ ବୁଢୀକୁ କହିବୁ । ପୋଡ଼ପିଠା କରିଦେବ । ଦଶିଆ ସାଆନ୍ତ କୋଉ ଛାଡ଼ିବା ଜନ୍ତୁ ।

କହୁଥିବ- ମୋ ବୁଢୀ କିଏକି ଲୋ ? ତୁଇ ପା’ ଟୋକଳି । ମିଛ ରାଗରେ ତମତମ ହୋଇ ଚାଲି ଯାଉଥିବା ଗାଁ ଝିଅକୁ ସାଆଁନ୍ତ କହୁଥିବ- ଆଲୋ, ହାଲୁକା ଚାଲୁନୁ । ରଜଟାରେ ମାଟିକୁ କୁଦୋଉଚୁ ।

୧୦
ସେ ଝିଅ ଫେରିଲା ବେଳକୁ କୃଷ୍ଣିଆ ବାରିକକୁ କହି କଦଳୀ ପଟୁଆରେ ଯୋଡେ଼ ଚପଲ କରି ରଖିଥିବ ଦଶିଆ ସାଆନ୍ତ। କହୁଥିବ- ଆଲୋ ହେଇ ଟୋକଳି, ନେଇ ଯାଆ। ଏଇଆକୁ ପିନ୍ଧିକି ରଜ ବୁଲିବୁ ଲୋ ଫୁଲେଇ । ମାଟିରେ ଜୋରରେ ଚାଲନ୍ତିନି ।

ଦାଣ୍ଡ ଚଉଁରାରୁ ଟିକେ ଆଗକୁ ଆସି ଡାହାଣକୁ ବୁଲିଲେ ଆମ ଘର । ରାସ୍ତା ଆର ପାଖରେ ବାଁ ପଟରେ ନିତା ଦେଈଙ୍କ ଘର ।

୧୧
ନିତା ଦେଈଙ୍କ ଘରେ ଥିବେ କୁନି ଦେଈ ବା ନୁଥୁରି ଦେଈ, ଝୁନି, ମୀରା, ଚୁମି, କିଟୁ, ନାନୁଆ ଦେଈ, ଟିଲି ଦେଈ ଆଉ ସମସ୍ତେ । ତାଙ୍କର ପୁରୁଣା କାଳିଆ ନୂଆଁଣିଆ ଖଞ୍ଜା । ପୁଣି କେବେ କବାଟ ଲାଗି ନଥିବା ଘର ତାଙ୍କର । ଘର ପିଣ୍ଡାରେ ନଡ଼ିଆ ଚଟ ପକେଇ ନିତା ଦେଇର ବାପା ମଉସା ବସିଥିବେ ।

୧୨
ମାଉସୀ ଗୋଟେ ବଡ଼ ସିନ୍ଦୁର ଟୋପା ପିନ୍ଧି ପିଢାରେ ବସି ସବୁ ଝିଅଙ୍କ ମୁଣ୍ଡ କୁଣ୍ଡେଇ ଦେଉଥିବ । ଖଞ୍ଜାରେ ଚୂଲି ପାଖକୁ ଥୁଆ ହୋଇଥିବ ହଳଦି ଗିନା ଓ ତେଲ ଗିନା। ତାକୁ ନେଇ ସମସ୍ତେ ଯିବେ ନିତା ଦେଈ ଘର ଛନ୍ଦାକୁ ଗାଧେଇବାକୁ। ନଈ ପହଁରା, ମନଖୋଲା ହସରେ ଯେମିତି ନଈ ଛାତି ଫାଟି ଯାଉଥିବ । ଦି’ ଫାଳ କରି ନଈ ପହଁରି ଯାଉଥିବେ ଝୁନି ଓ ମୀରା।
୧୩
ଗାଧେଇ ସାରିଲା ବେଳକୁ ସିଙ୍ଗିପୁର ବଜାରରୁ କିଣିକି ଅଣା ହୋଇଥିବା ଜାମା ଥିବ । କାହାର କିଣା ହୋଇପାରେ । କାହାର ଆସି ପାରେନି । ଯାହାର ନ ଆସିଥିବ ସେ ଗୋଟେ ଶାଢୀ ପିନ୍ଧି ପକେଇବ ।

ଦାଣ୍ଡ ଚଉଁରାରେ ବସି କୁଶ କକା ଡାକୁଥିବ- ବୁବୁଲି ଯାଇକି ଦେଖେ । ଏସବୁ ବାହାରିଲେ କି ନାହିଁ । କେତେ ବାଟ ହେଲାଣି ଟିକେ ଭାବନି! ମେଘ ହେଲେ କଣ ହେବ?

୧୪
ପିଠା ଖାଇ ସାରି, ଦୋଳିରେ ବସି ମନଇଚ୍ଛା ଝୁଲିଲା ପରେ ଗାଁ ଝିଅ ବାହାରି ଯିବେ ବନ୍ଧୁ ଘରକୁ ବୁଲି । କୁଣିଆ ହୋଇ। କୁଶ କକା, ନବ କକା ତାଙ୍କ ସାଙ୍ଗରେ ଯାଉଥିବେ । କାହା ଘରକୁ ଯିବେ- କିଛି ଖବର ନଥିବ । ଖବର କେମିତି ଦିଆଯିବ ଯେ ! ଚିଠି କଣ ସେଇ ଦିନ ଯାଇ ପହଞ୍ଚିବ ?

୧୫
କୋଉ ଦେଈ ଘରେ ଆଠ ଦଶ କିଲୋମିଟରରେ ଚାଲି ପହଞ୍ଚିଲା ବେଳକୁ ନିଜ ଗାଁର ଏତେ ଝିଅ, ପୁତୁରା, ଝିଆରୀଙ୍କୁ ଦେଖି ବିହ୍ୱଳ ସେ ଦେଈ ବାଡ଼ି ପାଖେ ଯାଇ ସ୍ୱର ଧରି କାନ୍ଦୁଥିବ ।

ଏ କେଉଁ ରାଇଜେ ଦେଲ ହେ ମତେ ଚିହ୍ନା ମୁହଁ ଟିକେ ନାହିଁ
ଏ ପୋଡ଼ା କପାଳେ ଆଇଛନ୍ତି ଦେଖ କେତେକେତେ ଚାନ୍ଦ ମୁହିଁ

ସେଇଠୁ ଖାସି ମାଂସ ଝୋଳ ହେଉଥିବ ।

୧୬
ବାଡ଼ି ପାଖ ଚୂଲିରେ ପଣତରେ ଲୁହ ପୋଛି ସେ ଦେଈ ରାନ୍ଧୁଥିବ ମାଉଁସ । ଗାଁ ଝଅ କଦଳୀ ପତ୍ରରେ ଖାଇ ଫେରିଲା ବେଳକୁ ତା’ ବୋଉ ପାଖକୁ ଚିଠି ଖଣ୍ଡେ ଲେଖି ସେ ଦେଈ ପଠେଇ ଦେଉଥିବ । କାହା ହାତରେ ପାଞ୍ଚ, ଦୁଇ ଟଙ୍କା ଗେଞ୍ଜି ଦେଉଥିବ । କାନ୍ଦି କାନ୍ଦି ଲୋଟି ଯାଉଥିବ । ପଣତ ତାର ଲୋଟୁଥିବଧୂଳିରେ।

୧୭
ତା’ ବଡ଼ ଯାଆ ଆକଟ କରୁଥିବେ- କାନ୍ଦେନି ଲୋ ଝୁଅ । ରଜଟା ପା ଆଜି । କାନ୍ଦେନି ଲୋ ମା’ । ପୁଣି ନିଜ ସାନ ଯାଆର ପଣତ ସମ୍ଭାଳି ଧରୁ ଧରୁ ବଡ଼ ଯାଆ କାନ୍ଦି ଉଠୁଥିବ । ବିଦାୟର କରୁଣ ରାଗ ଗୋଟେ ସ୍ମୃତିବୋଳା ଅପରାହଣରେ ସଜଳ ହୋଇ ଯାଉଥିବ ଏକାଥରେ ।

ଏପଟେ ଗାଁରେ ଜେଜେମା ପୋଡ଼ ପିଠା ପନିକିରେ କାଟୁଥିବ ।

୧୮
ରଙ୍ଗୀବୋଉ ଘରୁ ଆସିଥିବା ଦହି ଛେନା, ପାର ବୋଉ ଦେଇଥିବା ନଡ଼ିଆ ପଡ଼ି ଗୁଆ ଘିଅ ବାସ୍ନାରେ ମହମହ ବାସୁଥିବ ପୋଡ଼ପିଠା । ପତ୍ର ସହ ତାକୁ କାଟିଲା ବେଳେ ଲାଗୁଥିବ- ନାରୀଟା ଏଇ ପୋଡ଼ ପିଠା ପରି । ସବୁଦିନେ ଚୂଲି ନିଆଁରେ ପୋଡ଼ି ହେଇ ସେକି ହେଉଥିବ । ଲୁହ ଲୁଚେଇ ସ୍ମିତ ହସୁଥିବ।

୧୯
ଠାକୁରଙ୍କ ଘରେ ଦିଅଁ ବି ନୂଆ କପଡ଼ା (କାଛିଆ)ରେ ଦାଉଦାଉ ଦିଶୁଥିବେ । ବଙ୍କା କା’ ବାଙ୍କୀକୁ କହୁଥିବେ- ଆଉ ଟିକେ ଫୁଲ ଆଣିଲୁ ନେଇଁ । ରଜଟାରେ ଠାକୁର ଫୁଙ୍ଗୁଳା ଦେଖାଯିବେ । ବାଙ୍କୀ ଆସି ଘରେ କହୁଥିବ- ବଡ଼ବୋଉ ଦେଖୁଚୁନା- ରଜ ଦିନ ବି ମତେ ଛାଡ଼ୁ ନାହାନ୍ତି। ଭିତରୁ କିଏ କହୁଥିବ-ଠାକୁରଙ୍କୁ ଫୁଲ ଆଣିଦିଅ ବାଙ୍କୀ । ଭଲ ବର ମିଳିବ।

୨୦
କୁଦିକୁଦି ବାହାରି ଯାଉଥିବ ବାଙ୍କୀ । ଜେଜେମା ପଲମରେ ଛାଣୁଥିବ ଘି ପିଠା (ଗାଁରେ ଆରିସାକୁ (ଘି ପିଠା କହନ୍ତି), ତିଆରି କରୁଥିବ ଛୁଞ୍ଚି ପତର । ପଣସ ଖୋସା ବାସ୍ନା ଦାଣ୍ଡ ଦୁଆରେ ଖେଳି ଯାଉଥିବ । କଟା ଆମ୍ବ ଟାକୁଆରେ ଖସି ଘର ଦାଣ୍ଡରେ କିଏ ଗୋଟେ କଚଡ଼ା ଖାଉଥିବ।

୨୧
ଆଉ ଟିକେ ଆଗକୁ ରଙ୍ଗୀ ବୋଉ ତିଆରି କରୁଥିବ ମଣ୍ଡା, ଗୀଜ (ଏଥିରେ ପୁର ଭାବେ ବଟା ବିରି ଓ ସେଥିରେ ଗୋଳା ହୋଇଥିବା କଟାକାଟା ପିଆଜ, କଞ୍ଚା ଲଙ୍କା ଦିଆଯାଏ) । ଅଥାର (ଯୋଉ ହାଣ୍ଡିରେ ପିଠା ହୁଏ) ବସେଇ ଥିବ ମଝି ଚୂଲିରେ । ମଝିରେ ମଝିରେ ଅଥାର ଭିତରେ ବାଉଁଶ ପତ୍ରରେ ଆଉ ଟିକେ ପାଣି ଦେଉଥିବ । ଗଇଁଠା ତିଆରି କରି ଥୋଇଥିବ।

୨୨
ଖତୁଆ ଦୋକାନ ଆଗରେ ପାନ ପାଇଁ ଭିଡ଼ ବଢୁଥିବ । ଇଆଡେ଼ ନୂଆ ବାହା ହୋଇ ଆସିଥିବା କୋଉ ଭାଉଜ ପାନ ଭାଙ୍ଗି ଦେଉଥିବେ ଖଣ୍ଡ ଖଣ୍ଡ କରି । ସେଇଠି ନଣନ୍ଦମାନଙ୍କ ଭିଡ଼ ଜମି ଥିବ । ଅଳତା ପିନ୍ଧେଇ ଦେଉଥିବ ସେ ନୂଆ ଭାଉଜ । ମୁଣ୍ଡରେ ଚନ୍ଦନ ଟିପା ଲଗେଇ ସାରିଲା ପରେ କୁଆଁରୀ ଝିଅ ଅଶୋକ କେଳା ବିକିଥିବା ବକୁଟେ ଆଇନାରେ

୨୩
ତାର ମୁହଁ ଓ ଚହଲା ମନକୁ ଦେଖୁଥିବ ବାରବାର । ପଛରୁ କିଏ କହୁଥିବ- ଏଇ ଆଷାଢକୁ କରିଦେବା ଲୋ ତୋର । ମୁଁ ସାନବାପାଙ୍କୁ କହିଦେବି ।

ଆର ଝିଅ ରାଗୁଥିବ- ଯାଃ, ତୁ ନିଜେ ବାହା ହୋଇଯାଆ ଲୋ ଗୋରୀ।

ଉତ୍ତର ଆଉଥିବ- ମୁଁ ତ ତୋ ବାହାଘର କଥା କହିନି ଲୋ ସୁନ୍ଦରୀ ।

ସେଇଠି ହସରେ ଫାଟି ପଡ଼ୁଥିବ ସେ ଘର ଖଞ୍ଜା ।

୨୪
ଭାଉଜ କଥା ଚଳେଇ ନେଉଥିବେ- ନାଇଁ ଆମ ସୁନ୍ଦରୀ ପାଇଁ ରଜା ପୁଅ ଖୋଜି ଆଣିବା। ଗହମ ରଂଗର ଗୋରା ପୁଅ।
ପଶାଖେଳରେ କମ୍ପି ଉଠୁଥିବ ମହାଦେବ ମୁଣ୍ଡ। ବାପା, ଦାଦା ସବୁ ମିଶି ପଶା ଖେଳୁଥିବେ । ହାତୀ ଦାନ୍ତ ଦାନାକୁ ନେଇ ହେଇ ଗଲା ଗଲା ଡାକରେ ଫାଟୁଥିବ ମହାଦେବ ମୁଣ୍ଡ ଛକ। ସିଦିଆ ସାଆନ୍ତ ବସି ତାସ ଖେଳୁଥିବ ଆଉ ଟିକେ କଡ଼କୁଦୋଳ ମଣ୍ଡପରେ।

୨୫
ରଂଗ ଖେଳରେ ତା ବିରୋଧୀ ହେଇଥିବ ନୋକା ସାଆଁନ୍ତ । ସିଦିଆ ସାଆଁନ୍ତ ଷୋଅଳ ଡାକିଲା ବେଳକୁ ନୋକା ସାଆଁନ୍ତ ଡାକୁଥିବ- ଅଠେଇଶ ।
ନିତିଆ ପଣ୍ଡା କଡ଼ରୁ କହୁଥିବ- ଡବଲ ।
ନୋକା ସାଆଁନ୍ତ କହୁଥିବ- ରି ଡବଲ । ଆଉ ସାତ ପଟିଆ ଟାଣୁଥିବ । ପୁଣି ସେଥିରେ ଅଠେଇଶ ଖେଳ କରିଦେଇ ଚିଲୋଉ ଥିବ- ଯାଃ ଶାଲା ସିଦିଆ ମାଇଟା ଖେଳିବ ମୋ ସାଙ୍ଗେ।

୨୬
ବାଲିଝରି ଛନ୍ଦା କୂଳ କବାଡ଼ି ଖେଳରେ ଉଠୁଥିବ ପଡ଼ୁଥିବ। ଖେଳରେ କିଏ ସେ ଜିତୁଥିବ, କିଏ ସେ ହାରୁଥିବ ସାରାଦିନ ତାର ଇୟତ୍ତା ନଥିବ । କିନ୍ତୁ ଖେଳର କାଆଟି ମରୁ ନଥିବ ଯାହା (ସଚି ରାଉତରାୟଙ୍କ କବିତାର ଧାଡ଼ି ଅନୁସାରେ) । ସେଠିକି ପୋଡ଼ ପିଠା ନେଇ ଯାଉଥିବେ ଗାଁ ପିଲା ।

୨୭
ସଂଜ ନଇଁ ଆସୁଥିବ । ଗୋଧୂଳି ବହଳିଆ ହୋଇ ଦିଗବଳୟକୁ ଆବୋରି ପକାଉ ଥିବ । ଆଳତି ଓ ଘଣ୍ଟ ଶବ୍ଦ ଛାତି ଭିତରେ ଚିରି ପଶି ଯାଉଥିବ । ଲକ୍ଷ୍ମୀ ପ୍ରତିମା ବୋଉ କାନି ଗୁଡେ଼ଇ ତୁଳସୀ ଚଉରା ମୂଳେ ସଂଜ ଦେଇ ସାରା ଦୁନିଆର ଶୁଭ ମନାସୁ ଥିବ ।
ହାଲୁକା ଅନ୍ଧରରେ ଗହଳ ହେଉଥିବ- ଝିଅଙ୍କ ରଜଗୀତ।

୨୮
ରାତି ବଢୁଥିବ । ନିହାତି ମଫସଲ ଗାଁରେ ଗାଢ ହେଉଥିବ ରଜ ମଉଜ । ପୁଣି ଗାଢ ନିଦ ସାଙ୍ଗରେ ସ୍ପପ୍ନ ଆବୋରି ନେଉଥିବ ଆଖି ହଳକ ।

ଏଇମିତିରେ ପାଞ୍ଚ ଦିନ ବିତି ଯାଉଥିବ । ମାଟି ମାଆର ପୂଜା ବସୁମତୀ ସ୍ନାନ (ଭୂଇଁ ନଅଁଣ) ବେଳେ କୃତଜ୍ଞତାର ଟୁକୁଡ଼ାଏ ପ୍ରଣତି କାନିରେ ଗୁଡେ଼ଇ ମୁଣ୍ଡିଆ ମାରୁଥିବେ ଜେଜେମା, ଖୁଡ଼ୀ, ବୋଉ, ଭାଉଜ ସଭିଏଁ ।

୨୯
ହଳଦି ଗୁରୁଗୁରୁ ଶିଳପତା ସେମିତି ପିଢା ଉପରେ ଗଡ଼ୁଥିବ।

ସ୍ମୃତି ଆଖି କଣରେ ଜକେଇ ରହିଥିବ । ଜଳଜଳ ହୋଇ । ପୁଣି ଆରବର୍ଷ । ପୁଣି ନୂଆ ରଜକୁ ।

୩୦

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

20 Jun
#ବାପା

ବାପା ହେବା ଭାରି ସହଜ ମ !

ବୋଉ ଉପରେ ସଂସାର ଛାଡ଼ିଦେଇ
ଖରା, ବର୍ଷାରେ ସେ ସଂସାର ପାଇଁ
ତିଆରୁ ଥିବ ଛାତ,
ପୁଅ ଝିଅ ଶୋଇଗଲେ
ଅନ୍ଧାରରେ ଲୁଚି
ତାଙ୍କ କପାଳରେ
ଛୁଉଁଥିବ ଆଶୀର୍ବାଦର ଅଭୟ ହାତ
ଭଲ ଜାମା, ଗେଂଜି କେବେ କିଣିବ ହିଁ ନାହିଁ
ସଭିଙ୍କୁ ଶାଢ଼ୀ କି ଜାମା କିଣିଦେଇ
ନିଜର ଦି' ଖଣ୍ଡ ଲୁଙ୍ଗିକୁ
ଧୋଇ ଶୁଖେଇ
ପିନ୍ଧିବାରେ କି କଷ୍ଟ ଯେ !

ପୁଅର ଗାଡ଼ି ପାଇଁ ପେଟ୍ରୋଲ ପଇସା ରଖିଦେଇ
ସାଇକେଲରେ ଫାଙ୍କା ପବନରେ
ହାଟ, ବନ୍ଧୁ, ଝିଅ ଝିଆଣି ଘରେ ବୁଲିବା
ଓ ଆଠ ଦଶୁଟା ବେଗ ଦେଇ ଆସିବାରେ
କି କଳା କୌଶଳ ଦର୍କାର କୁହ ତ !

ଛକ ଚାହା ଦୋକାନକୁ ଯିବାକୁ
ତମେ ଭାବୁଥିବ ପଚାଶ ଥର
ଚାହା ଦୋକାନରେ ପଚାଶ କି ଶଏ
କେବେ ହୋଇଗଲେ
ଝିଅ ପରୀକ୍ଷା ନ ଦେଇ ପରିବାର ଡର

ବାପା !
ତମେ ଭାରି ଡରୁଆ

ଅପା ଶାଶୁଘରକୁ ଗଲା ବେଳେ
କୁଆଡ଼େ ସେ ବିଲ ହିଡରେ ବୁଲୁଥାଅ ତମେ
ବାବନା ପାଗଳା ହୋଇ
ଗାଁ ଡ୍ରାମା, ପାଲା ବେଳେ
ତମେ ତ ଖସିଯାଅ
କେଇ ମାସର ଦରମା କେବଳ
ଅମି କକା ହାତରେ ଦେଇ

Read 6 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(