#ସୂତା
#ଯାଜପୁର
ଝିଅ ଦେଖା
ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।
୨୦୧୦ ମସିହାର କଥା ଇଏ।
୧
ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?
୨
- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।
ଛାତ ଉପରକୁ ମୁଁ ରାଗରେ ପଳେଇଲି।
ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।
ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।
୩
ଜୀବନର ଅନେକ ସୁଖଦୁଃଖ ମୁଁ ତାଙ୍କୁ ହିଁ କହିଛି। କଲେଜ କଲୋନୀରେ ଆମ ସାମ୍ନା ଘରେ ରହୁଥିଲେ। ସେ ହାତ ଠାରି ଡାକିଲେ- ତଳକୁ ଆ’ ।
ଗାନ୍ଧି ସାର, ମୁଁ, ମାୟା ବାହାରିଲୁ ଝିଅ ଦେଖିବା ପାଇଁ। ଝିଅ ଘର କୋଉଠି ବୋଲି ମୁଁ ମାୟାକୁ ପଚାରିଲି।
ସେ କହିଲା- ଭାଇ ଚାଲନ୍ତୁ, ମୁଁ ବଳେ ନେଇଯିବିନି ଆପଣଙ୍କୁ।
୪
ବରୁହାଁ ଛକରୁ ବ୍ରହ୍ମବରଦା ରାସ୍ତା ଧରିଲା ସେ।
ଲମ୍ବା, ବିସ୍ତୀର୍ଣ୍ଣ ବାଦାମ କ୍ଷେତ । ଆଗରେ ବ୍ରାହ୍ମଣୀ ନଈ। ଡେଙ୍ଗା ପୋଲ।
ମୁଁ ଗାନ୍ଧି ସାରଙ୍କୁ ପଚାରିଲି- ଆପଣ ତ କିଛି କୁହନ୍ତୁ। ଏତେ ସସପେନ୍ସ ରଖିଲେ କଣ ହେବ।
- କିଛି ସସପେନ୍ସ ନାଇଁ। ଦେଖିବା ଚାଲେ। ସାର୍ ଉତ୍ତର ଦେଲେ।
୫
- ହେଲେ ମତେ କାଇଁ ଝିଅ ଦେଖାଉଛନ୍ତି ? ମୁଁ ଯୋଉ ଝିଅକୁ ଦେଖିଲେ ବି ନାଇଁ କହି ପାରିବିନି। ସେ ଝିଅର ପୁଣି ସ୍ୱାଭିମାନ ଓ ସମ୍ମାନ ଅଛି କି ନାଇଁ ? ମତେ ଦେଖାନ୍ତୁନି ପ୍ଲିଜ୍।
ଗାନ୍ଧି ସାର ହସିଲେ। କହିଲେ- ତୋ ବାପାକୁ ସେଇଆ ଫୋନ କରି କହି ଦେ।
ମୁଁ ବାପାଙ୍କୁ ଫୋନ କରି ଅବିକଳ କଥା କହିଗଲି।
୬
ସେ ଓଲଟା ମତେ କହିଲେ- ରହ, ସେ ଝିଅ ଜାଣିନି ତୁ ଯାଉଛୁ ବୋଲି। ମୁଁ ଜଣାଇବାର ବ୍ୟବସ୍ଥା କରେ।
ଆଶ୍ଚର୍ଯ୍ୟ କଥା ଇଏ! ଝିଅ ଦେଖିବାକୁ ମୁଁ ଯାଉଛି। ଝିଅ ପୁଣି ଜାଣିନି।
ଇଆଡ଼େ ଯାହାକୁ ଦେଖିବି ତାକୁ ହଁ କହିବା ମାନସିକତା କେବେ ମୁଁ ବଦଳାଇବିନି ବୋଲି ଆଗରୁ ଠିକ କରି ସାରିଥାଏ।
୭
ମାୟାକୁ ମୁଁ ପଚାରିଲି- ତୁ ଜାଣିଛୁ କି କିଛି ? କହୁନୁ।
ମାୟା ମୁରୁକି ହସା ମାରିଲା।
- ଆବେ ତତେ ଥଟ୍ଟା ଲାଗିଛି। କଣ ହୋଇଛି କହ ମତେ।
- ଚାଲନ୍ତୁ ଭାଇ । ଆଉ ଅଳ୍ପ ବାଟ।
- ଅଳ୍ପ ବାଟ ମାନେ କୋଉଠି ?
- କାହା ଗୀତ ଲଗେଇବି ଭାଇ କୁହନ୍ତୁ। ଲତା ? ମାୟା ପଚାରିଲା।
- ଛେନାଗୁଡ଼।
୮
ଅନେକ ଅଙ୍କାବଙ୍କା ରାସ୍ତା ଦେଇ ପାହାଡ଼ କଡ଼ ବଙ୍କାଣୀ ବୁଲି ଆମେ ଯାଇ ଯୋଉଠି ପହଁଚିଲୁ, ସେଇଟା ଗୋଟେ ପାହାଡ଼ ତଳ। ଘର, ଗାଁ କିଛି ନାହିଁ।
ଗାନ୍ଧି ସାର ମତେ ଉପରକୁ ଯିବା ପାଇଁ କହି ଉପରକୁ ଚାଲିଲେ। ମାୟା କହିଲା- ଭାଇ, ଆପଣ ଆସନ୍ତୁ। ମୁଁ ତଳେ ଅଛି।
- ଏଇଟା କୋଉ ଜାଗା ମାୟା? ତୁ ତ ରାସ୍ତା ବଦଳେଇ ଆଣିଲୁ ? କହ ତ।
୯
- ଭାଇ ଏଟା ଉଦୟଗିରି। ନୂଆ ରାସ୍ତା ଖୋଲିଛି। ଆପଣ ଦେଖି ନାହାନ୍ତି।
ପାହାଡ଼ ଉପରେ ଏକପାଖିଆ ହୋଇ ଛୋଟିଆ ଡାକ୍ତରଖାନାଟେ। ଉଦୟଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର।
ସେଇଠି ଛିଡ଼ା ହେଲେ ଉଦୟଗିରି ବୌଦ୍ଧ କୀର୍ତ୍ତିରାଜି ବେଶ ସୁନ୍ଦର ଦିଶୁଛି। ବେଶ ବ୍ୟାପ୍ତ।
ଆମେ ଡାକ୍ତରାଣୀ ରୁମକୁ ପଶିଲୁ।
୧୦
ନର୍ସଟେ ତା ଆଗରୁ ବସି ମତେ ଦେଖି ମୁଚୁକୁନ୍ଦିଆ ହସ ମାରୁଥିଲା। ଡାକ୍ତରାଣୀ ରୋଗୀ ଦେଖୁଥିଲେ।
ଗାନ୍ଧି ସାରଙ୍କ ପାଦ ଛୁଇଁ ଜୁହାର ହେଲେ।
କହିଲେ- ସାର ବସନ୍ତୁ ।
ମତେ ବି ବସିବା ପାଇଁ କହିଲେ । ପତଳି ଡେଙ୍ଗୀ ଝିଅଟେ। ହାତର ଶିରା ସ୍ପଷ୍ଟ ଦିଶୁଥାଏ। ଖୁବ ପତଳା।
ସମ୍ବଲପୁରୀ ଶାଢ଼ୀ ପିନ୍ଧି ଥାଆନ୍ତି।
୧୧
ତାଙ୍କ ସାମ୍ନା ସିଟରେ ମୁଁ ବସିଲି।
କ୍ରମଶଃ ଡାକ୍ତରଖାନା ଷ୍ଟାଫ୍ ଆଣି ସିଙ୍ଗଡ଼ା, କଫି ଦେଇଗଲେ।
- ମତେ କେହି କହି ନଥିଲେ ଆପଣ ଆସୁଛନ୍ତି ବୋଲି। ୧୫ ମିନିଟ ତଳେ ଫୋନ କରି ମୋ ବାପା କହିଲେ। ବାଲିକୁଦା ଛକରୁ ଯାହା ମଗେଇ ପାରିଛି। ସେ ଝିଅ କହିିଲେ।
ଗାନ୍ଧି ସାର କଥା ହେଲେ।
୧୨
ମୁଁ ସିଙ୍ଗଡ଼ା ଖାଇଲି। କଫି ପିିଇଲି। ପୁଣି ବାହାରକୁ ଆସି ଉଦୟଗିରି ଆଡ଼େ଼ ଚାହିଁଲି।
ସେ ଝିଅ ବି ଆସି ଛିଡ଼ା ହେଲା।
- ଆସନ୍ତୁ ଆଉ କପେ କଫି ପିଇବେ। ଆପଣଙ୍କୁ ଭଲ ଲାଗେ। ପୁଣି ଭିତରକୁ ଗଲି ମୁଁ।
ଚାଳିଶ ମିନିଟ ପାଖାପାଖି ପରେ ମୁଁ ବାହାରି ଆସିଲି। ଗାନ୍ଧି ସାରଙ୍କ ସହ।
ସେ ଝିଅ ଆସିଲେ ଆମକୁ ବାଟୋଇ ଦେବାକୁ।
୧୩
ତଳେ ପୁଣି ତାଙ୍କ ଫାର୍ମାସିଷ୍ଟ ଦେଖା ହେଲା।
ମୁଁ ପଚାରିଲି- ଆରେ ତମ ଦିଦିଙ୍କ ମୋବାଇଲ ନମ୍ବର କେତେ ? ସେ ଦେଇଦେଲା। ଆମେ ବାହାରି ଆସିଲୁ।
ଘରେ ଆସି ଖାଇ ମୁଁ ଶୋଇଗଲି।
ସଂଜକୁ ବୈତରଣୀ କୂଳକୁ ପଳେଇଲି ମୁନା ଭାଇ ସାଙ୍ଗେ।
୧୪
ରାତିରେ ବାପା ପଚାରିଲେ- କଣ ହେଲା? କଣ କହୁନୁ?
- କହିଥିଲି ପରା ସକାଳେ। ମୁଁ ଝିଅ ଦେଖିବିନି। ତମେ ଜବରଦସ୍ତ ଦେଖେଇଲ। କୌଣସି ଝିଅକୁ ମୁଁ ନା କହି ପାରିବିନି।
- ହଉ।
କିଛିଦିନ ବିତିଗଲା ଏମିତିରେ।
ଦିନେ ରାତିରେ ମୁଁ ସେ ଝିଅ ନମ୍ବର ଲଗେଇଲି।
୧୫
- ପୁପୁ କହୁଛି ? ଆପଣ ଜାଣି ପାରୁ ନଥିବେ?
- ଜାଣିଛି । ନମ୍ବର ମୋ ପାଖେ ଅଛି। ମୁଁ ଡରିକି ଫୋନ କରୁ ନଥିଲି।
- କଣ ପାଇଁ? ମତେ କି ଡର?
- ଚିହ୍ନି ପାରିଲେନି କି ଆପଣ ମତେ? ସେ ଝିଅ କହିଲା।
- ନାଇଁ ତ । ମୁଁ ଜାଣିନି।
- ମୁଁ ଲୀନା। ଯାଜପୁରରେ ଆପଣଙ୍କ ତଳ ବ୍ୟାଚ୍ରେ ପଢୁଥିଲି । ଆପଣଙ୍କ ଘରକୁ ବି ଯାଇଛି । ସାର ମୋ ଟିଚର୍।
୧୬
ପରେ କଥାର ପରିଧି କିଛିଟା ବଢିଲା। ଅବଶ୍ୟ ମାପିଚୁପି। ଢେର କମ ସମ୍ଭବ।
ଦିନେ ସଂଜରେ ଆଚାର୍ଯ୍ୟ ବିହାରରେ ମୁଁ ରାନ୍ଧୁଛି। ଗାନ୍ଧି ସାରଙ୍କ ଫୋନ ଆସିଲା- ପୁପୁ, ଗୋଟେ କଥା କହିବି ବ୍ୟସ୍ତ ହେବୁନି।
- କଣ ହେଲା ?
- ସେଠି ତୋ ବାହାଘର ହୋଇ ପାରିବନି।
- କଣ ପାଇଁ ? ଆପଣମାନେ କଣ ମନଇଚ୍ଛା ଝିଅ ଦେଖେଇବେ। ଭାଙ୍ଗିବେ ବାହାଘର?
୧୭
- ନା । ହେବନି।
ପରେ ଗାନ୍ଧି ସାର ଗୋଟେ କାହାଣୀ କହିଲେ ଯାହା ଆମ ଘର ତରଫରୁ ତାଙ୍କୁ କୁହାଯାଇଥିବ କହିବା ପାଇଁ। କିନ୍ତୁ ମତେ ସେସବୁ ବକୱାସ ଲାଗିଲା।
ସାରଙ୍କୁ ମୁଁ ଫୋନ କଲି।
- ଠିକ ଅଛି। ଆପଣ ଆଗେ ସେ ଝିଅ ସହ କଥା ହୁଅନ୍ତୁ। ତାକୁ ସବୁକଥା କୁହନ୍ତୁ । ତାକୁ ବୁଝାନ୍ତୁ । ଟିକେ ସମ୍ବେଦନଶୀଳ ହୁଅନ୍ତୁ। ତା ସମ୍ମାନ ଜଗନ୍ତୁ।
୧୮
ତା’ପରେ କଣ କିଏ ବୁଝେଇଲା ମୁଁ ଜାଣିନି। କିନ୍ତୁ ଲୀନା ମତେ ଦଶ ମିନିଟ ପରେ ଦୁଇ ଥର ଫୋନ କଲା। ଫୋନ ଉଠେଇବାର ସାହାସ ମୋ ପାଖେ ନଥିଲା।
ଏମିତିରେ ଦୁଇ ବର୍ଷ ବିତିଗଲା। ମୋ ବାହାଘର ବି ହୋଇଗଲା ଶ୍ରେୟା ସହିତ।
୨୦୧୨ ପଞ୍ଚାୟତ ନିର୍ବାଚନରେ ବରୀରେ ମୋର ନିର୍ବାଚନ ଡ୍ୟୁଟି ପଡ଼ିଥାଏ।
୧୯
ଗୋଟେ ବୋଲେରେରେ ମୁଁ ବୁଲୁଥାଏ। ଅନ୍ୟମନସ୍କ ଭାବେ ମୁଁ ଉଦୟଗିରି ପାଖେ ଅଟକି ଗଲି। ଓହ୍ଲାଇ ଟିକେ ଆଗକୁ ବୁଲିବାକୁ ଚାଲିଗଲି।
ଦେଖିଲି- ସାମ୍ନାରୁ ଲୀନା ଆସୁଛି।
କିଛି ସମୟରେ ମଣିଷ ଏମିତି ଅଜବ ସ୍ଥିତିରେ ପଡ଼େ ଯେ, ମୁହଁ ଲୁଚେଇବା ପାଇଁ ତାକୁ ସାରା ପୃଥିବୀଟା କମ ଲାଗେ। ସେ ଜାଗା ଖୋଜେ ଲୁଚିବାକୁ। ମିଳେନା।
୨୦
ଲୀନା କିନ୍ତୁ ମୋ ପାଖେ ଆସି ଛିଡ଼ାହେଲା । ତା ସ୍କୁଟି ଅଟକେଇଲା।
କହିଲା- ପାଖ ଗାଁକୁ ଯାଉଛି। ଜଣଙ୍କ ଦେହ ଖରାପ। ଦେଖିବାକୁ। କେମିତି ଅଛନ୍ତି ଆପଣ?
- ଭଲ , ହୁଁ ।
- ସେ ନମ୍ବର ରଖିଛନ୍ତି ମୋବାଇଲର ନା ବଦଳେଇ ଦେଲେଣି ?
- ରଖିଛି ସେଇ ନମ୍ବର। ମୋର ତ ଗୋଟାଏ ନମ୍ବର।
- ବଦଳେଇବେନି କେବେ। ବାହାଘର ହେଲାଣି ଆପଣଙ୍କର?
୨୧
- ହଁ, ବର୍ଷେ ହେଲାଣି । ତମେ ?
ଲୀନା ଅଳପ ହସିଲା।
- ମୁଁ ବାହା ନ ହେବାକୁ ସ୍ଥିର କରିଥିଲି। ଅପଣ ହଁ କହିଲେ। ମୁଁ ବି ହଁ କହିଲି। ପରେ ଆପଣ ଓହରି ଗଲେ। ଜାଣିଛନ୍ତି ମୁଁ ସଭିଙ୍କୁ କହି ଦେଇ ସାରିଥିଲି। ମୋ ସାଙ୍ଗମାନଙ୍କୁ।
ପରେ ନା’ ଶୁଣିଲା ପରେ ଛୁଟିରେ ରହିଲି ବହୁତ ଦିନ। ମୋ ଭାଇ ଚାଲି ଯାଇଥିଲା।
୨୨
ଭଉଣୀ ବି ଚାଲିଗଲା ସେଇ ବର୍ଷ। ବୋଉ ଦେହ ଭଲ ରହୁନାହିଁ। ମୁଁ ଗାଁକୁ ଯିବା ଆସିବା କରୁଛି। ଆଉ ବାହା ହେବିନି।
କିଛି ବି କହି ପାରିଲିନି ମୁଁ। ଶବ୍ଦ ନଥିଲା ମୋ ପାଖେ।
- ଆସନ୍ତୁ ଚାହା ପିଇବା।
ଚାହା ପିଇଲି ମୁଁ। ସେ ବି। ଆସ୍ତେ। ଚୁପଚାପ।
୨୩
ଗୋଟାଏ ବି ଶବ୍ଦ ମୋ ମୁହଁରୁ ବାହାରି ନଥିଲା ଆଉ।
ମୁଁ ଆସି ଆସ୍ତେ ମୋ ଗାଡ଼ିରେ ବସିଲି। କାଚ ଉଠେଇଲି। ସେ ଝିଅ ସେମିତି ଚାହା ଗିଲାସ ଦି’ଟା ଧରି ଛିଡ଼ା ହୋଇଥିଲା। ନିଶବ୍ଦ।
ନିଶ୍ଚଳ ବି।
୨୪
ସିସି: @SupriyaPrasanta
@bjena2
@Jyotsna_JJ
@bagha_mamu
@aviram_panda
ସବୁ ଯାଜପୁରିଆ ଓ ଝିଅ ଦେଖି ଏବେ ସୁଖୀ ଥିବା ପ୍ରତିଟି ମଣିଷଙ୍କୁ।
ଆଉ ଗପ ଶୁଣିବାକୁ ଅଝଟ କରୁଥିବା ଓ କରୁ ନଥିବା ସୋମୁ @Soumendra_007
Share this Scrolly Tale with your friends.
A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.
